Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢାଖୋଲ ଉପରେ ସଭିଙ୍କ ନଜର, ରୋହିତ-ପ୍ରସନ୍ନଙ୍କ ଅଙ୍କ ବିଗାଡ଼ି ପାରନ୍ତି ସଞ୍ଜିତ ମହାନ୍ତି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ରହିଥିବା ବିଧାନସଭା ଆସନ ମଧ୍ୟରୁ ଶାସକ ବିଜୁ ଜନତା ଦଳ ପାଇଁ ସୁରକ୍ଷିତ ଆସନ ମଧ୍ୟରୁ ଗୋଟିଏ ହେଉଛି ରେଢାଖୋଲ। ସମ୍ବଲପୁର ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀ ବିଜେଡି ପାଇଁ ଏକ ପ୍ରକାର ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିଜେଡି ଏଠାରୁ କେବେ ନିର୍ବାଚନ ହାରି ନାହିଁ। ତେଣୁ ନିର୍ବାଚନୀ ବୈତରଣୀ ପାରି ହେବାକୁ ଏହି ଆସନ ଉପରେ ଅନେକ ବରିଷ୍ଠ ଓ କନିଷ୍ଠ ବିଜେଡି ନେତାଙ୍କ ଆଖି। ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ଏବେଠୁ ଟିକେଟ୍ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ। ଏମିତି ସମୟରେ କେନ୍ଦୁପତ୍ର କର୍ମଚାରୀ ସଂଘ ଖୋଲାଖୋଲି ଏହି ଆସନରୁ ଟିକେଟ୍ ମାଗିଲେଣି। ଏଭଳି ସ୍ଥିତିରେ ରେଢାଖୋଲର ରାଜନୈତିକ ଗଣିତ ଗଡ଼ବଡ଼ ହେବା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ଏହି ଆସନରୁ ବିଜେଡିର ରୋହିତ ପୂଜାରୀ ବିଧାୟକ ଅଛନ୍ତି।

୨୦୦୦ ମସିହାରୁ କ୍ରମାଗତ ୫ ଥର ବିଜେଡି ଏହି ଆସନରେ ନିର୍ବାଚନ ଜିତି ଆସିଛନ୍ତି। ସବୁଠୁ ବଡ଼ କଥା ଏଠାରେ ବିଧାୟକ ହେଉଥିବା ବିଜେଡି ବିଧାୟକଙ୍କୁ ମନ୍ତ୍ରୀ ପଦର ସୌଭାଗ୍ୟ ମିଳୁଛି। ଏଠାରୁ କ୍ରମାଗତ ଦୁଇ ଥର ବିଧାୟକ ହୋଇଥିବା ରୋହିତ ପୂଜାରୀ ମଧ୍ୟ ନବୀନ ମନ୍ତ୍ରିମଣ୍ଡଳରେ ଥିଲେ। ତେଣୁ ସେ ବି ଏହି ଆସନ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ସେପଟେ ବିଜେଡିର ବରିଷ୍ଠ ନେତା ତଥା ଏଠାକାର ପୂର୍ବତନ ବିଧାୟକ ପ୍ରସନ୍ନ ଆଚାର‌୍ୟ୍ୟ ମଧ୍ୟ ଏହି ଆସନ ଉପରେ ପୁଣି ଥରେ ନଜର ପକାଇଛନ୍ତି। ତେଣୁ ସେ ରେଢାଖୋଲ ଅଞ୍ଚଳକୁ ତୋଫାନି ଗସ୍ତ କରୁଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ବେଳେ ବେଳେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି।

ରେଢାଖୋଲ ହେଉଛି ବିଜେଡିର ଏକ ସୁରକ୍ଷିତ ଗଡ଼ ଏବଂ ଏଠାକାର ବଡ଼ ଭୋଟ୍ ବ୍ୟାଙ୍କ ହେଉଛି କେନ୍ଦୁପତ୍ର ତୋଳାଳି। ତେଣୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଏଥର ନିର୍ବାଚନରେ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି। ସଂଘର ରାଜ୍ୟ ସଂପାଦକ ତଥା ରାଜ୍ୟ ସରକାରଙ୍କ କେନ୍ଦୁପତ୍ର କଲ୍ୟାଣ ବୋର୍ଡର ଉପଦେଷ୍ଟା ସଞ୍ଜିତ ମହାନ୍ତିଙ୍କୁ ଟିକେଟ୍ ଦେବାକୁ ସଂଘର କର୍ମକର୍ତ୍ତା ଦାବି କରୁଛନ୍ତି। ଏପରି କି ସଞ୍ଜିତଙ୍କ ପିତା ତଥା ସଂଘର ରାଜ୍ୟ ସଭାପତି ସଂଘର ଜଣେ ସକ୍ରିୟ କାର‌୍ୟ୍ୟକର୍ତ୍ତାଙ୍କୁ ଟିକେଟ୍ ଦେବାକୁ ଦାବି କରିଛନ୍ତି। ଅନ୍ୟପଟେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥଙ୍କ ସହ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳ ମଧ୍ୟ ଆଶାୟୀ ତାଲିକାରେ ଅଛନ୍ତି। ରେଢାଖୋଲ ଅଞ୍ଚଳର କେତେକ ସ୍ଥାନୀୟ ନେତା ମଧ୍ୟ ଆଶାୟୀଙ୍କ ତାଲିକାରେ ଅଛନ୍ତି। ଏହି ସ୍ଥାନୀୟ ନେତା ସ୍ଥାନୀୟ ପ୍ରସଙ୍ଗ ଉଠାଇବା ଆରମ୍ଭ କଲେଣି।

ତେବେ ସବୁଠୁ ଅଧିକ ଚର୍ଚ୍ଚା କେନ୍ଦୁପତ୍ର କଲ୍ୟାଣ ବୋର୍ଡର ଉପଦେଷ୍ଟା ସଞ୍ଜିତ ମହାନ୍ତିଙ୍କୁ ନେଇ ହେଉଛି। କାରଣ ତାଙ୍କ ସମର୍ଥନରେ ସବୁଠୁ ବଡ଼ ଭୋଟ୍ ବ୍ୟାଙ୍କ କେନ୍ଦୁପତ୍ର ତୋଳାଳି ଅଛନ୍ତି। ସଂଘର ଅଧିକାଂଶ କର୍ମକର୍ତ୍ତା ବିଜେଡି ସହ ସଂପୃକ୍ତ ଅଛନ୍ତି। ଏ ଯାଏ ଯେତେ ଜଣ ରେଢାଖୋଲ ଆସନରୁ ବିଧାୟକ ହୋଇଛନ୍ତି ସେମାନେ ରାଜ୍ୟ ସରକାରଙ୍କ ନିକଟରେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟାକୁ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ତେଣୁ କେନ୍ଦୁପତ୍ର ସଂଘର କର୍ମକର୍ତ୍ତା ଚାହୁଁଛନ୍ତି ତାଙ୍କ ସଂଘରୁ ଜଣଙ୍କୁ ଟିକେଟ୍ ମିଳିବା ଉଚିତ୍। ତେଣୁ ସଞ୍ଜିତଙ୍କୁ ଟିକେଟ୍ ଦିଆଯାଉ ବୋଲି ଦାବି ଉଠୁଛି। ତାଙ୍କ ପ୍ରତି ମଧ୍ୟ କର୍ମକର୍ତ୍ତାଙ୍କ ସମର୍ଥନ ମଧ୍ୟ ବଢିବାରେ ଲାଗିଛି। ରେଢାଖୋଲରେ ପ୍ରାୟ ୬୦ ହଜାର କେନ୍ଦୁପତ୍ର ତୋଳାଳି ଓ ଶ୍ରମିକ ରହୁଛନ୍ତି। ଏଭଳି ସ୍ଥିତି ବିଜେଡିକୁ ହରଡ଼ଘଣାରେ ପକାଇଛି। ଯଦି ଦଳ କେନ୍ଦୁପତ୍ର କର୍ମଚାରୀ ସଂଘର ଚାପରେ ଆସେ ତେବେ ଦଳର ଦୁଇ ପ୍ରମୁଖ ନେତା ରୋହିତ ପୂଜାରୀ ଓ ପ୍ରସନ୍ନ ମହାନ୍ତିଙ୍କୁ କେମିତି ସନ୍ତୁଷ୍ଟ କରାଯିବ ତାହା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ