Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ବିପକ୍ଷ ୩ୟ ଟି-୨୦ ପୂର୍ବରୁ ସ୍ଵଦେଶ ଫେରିଲେ ୬ ଅଷ୍ଟ୍ରେଲିଆ ଖେଳାଳି, ଦଳରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିଆ ନିଜ ଦଳରେ ବଡ଼ ପରିବର୍ତ୍ତନ କରିଛି। ଆଜି ଦୁଇ ଦଳ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଗୌହାଟୀରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଷ୍ଟିଭ୍ ସ୍ମିଥ୍-ଗ୍ଲେନ ମ୍ୟାକ୍ସଓ୍ଵେଲ୍ ସମେତ ୬ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏହି ସମସ୍ତ ଖେଳାଳି ବିଶ୍ଵକପ୍ ଦଳର ସଦସ୍ୟ ଥିଲେ। ବିଶ୍ଵକପ୍ ୨୦୨୩ ସରିବା ପରେ ଏହି ଖେଳାଳିମାନେ ପ୍ରଥମ ଦୁଇଟି ଟି-୨୦ ପାଇଁ ଦଳରେ ଥିଲେ। ଷ୍ଟିଭ୍ ସ୍ମିଥ୍ ଓ ଆଡମ ଜାମ୍ପା ସ୍ଵଦେଶ ଫେରି ସାରିଥିବା ବେଳେ ଗ୍ଲେନ ମ୍ୟାକ୍ସଓ୍ଵେଲ୍, ମାର୍କସ ଷ୍ଟୋଇନିସ୍, ଜୋସ ଇଂଲିସ ଓ ସିନ ଆବଟ୍ ଆସନ୍ତାକାଲି ଅଷ୍ଟ୍ରେଲିଆ ଅଭିମୁଖେ ଉଡ଼ାଣ ଭରିବେ।

ଭାରତ ବିପକ୍ଷ ଅବଶିଷ୍ଟ ୩ ମ୍ୟାଚ୍ ପାଇଁ ଓ୍ଵିକେଟ୍ କିପର ବ୍ୟାଟର ଜୋସ ଫିଲିପ, ବେନ ମ୍ୟାକଡରମୋଟ, ବେନ ଦ୍ଵାରସୁଇସ୍ ଓ ସ୍ପିନର କ୍ରିସ ଗ୍ରୀନଙ୍କୁ ଦଳରେ ସାମିଲ୍ କରାଯାଇଛି। ଫିଲିପ ଓ ମ୍ୟାକଡରମୋଟ୍ ପୂର୍ବରୁ ଦଳ ସହ ଥିଲେ ଏବଂ ଆଜି ଗୌହାଟୀରେ ଖେଳା ଯିବାକୁ ଥିବା ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ। ଅନ୍ୟ ତିନି ଖେଳାଳି ଚତୁର୍ଥ ମ୍ୟାଚ୍ ପୂର୍ବରୁ ରାୟପୁରରେ ଦଳ ସହ ଯୋଗ ଦେବେ।

ଏହି ସବୁ ପରିବର୍ତ୍ତନ ପରେ ଟ୍ରେଭିସ୍ ହେଡ୍ ଅଷ୍ଟ୍ରେଲିଆ ବିଶ୍ଵକପ୍ ବିଜୟୀ ଦଳର ଏକମାତ୍ର ସଦସ୍ୟ ରହିଛନ୍ତି। ଅଷ୍ଟ୍ରେଲିଆ ଏବେ ଅବଶିଷ୍ଟ ୩ ଟି-୨୦ ମ୍ୟାଚରେ ୧୩ ଖେଳାଳିଙ୍କ ସହ ଖେଳିବ। ତନବୀର ସାଙ୍ଘା ରିଜର୍ଭ ଖେଳାଳି ଭାବେ ଦଳରେ ରହିବେ।

ଅବଶିଷ୍ଟ ତିନି ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଦଳ

ମାଥ୍ୟୁ ଓ୍ଵେଦ(ଅଧିନାୟକ), ଜାସନ ବେହେରନଡର୍ଫ, ଟିମ୍ ଡେଭିଡ୍, ବେନ ଡ୍ଵାରସୁଇସ୍, ନାଥନ ଏଲିସ, କ୍ରିସ ଗ୍ରୀନ, ଆରୋନ ହାର୍ଡି, ଟ୍ରେଭିସ୍ ହେଡ, ବେନ ମ୍ୟାକଡରମୋଟ୍, ଜୋସ ଫିଲିପ, ତନବୀର ସାଂଘା, ମ୍ୟାଟ୍ ସର୍ଟ, କେନ ରିଚାର୍ଡସନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ