ଶୁକ୍ରବାର ବାତ୍ୟାର ରୂପ ନେବ ଲଘୁଚାପ, ୫ ଓ ୬ରେ ଏହି ସବୁ ଜିଲ୍ଲାରେ ବର୍ଷା !


ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୁତ ହୋଇ ଶୁକ୍ରବାର ଏହା ଗଭୀର ଅବପାତରେ ପରିଣତ ହେବ। ପରେ ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ଓ ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ ବୋଲି ଏନେଇ ପାଣିପାଗ ବିଭାଗ ଆକଳନ କରିଛି।ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆସନ୍ତା ଡିସେମ୍ୱର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ୫ ଓ ୬ରେ ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।

ଏହାର ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଅଧିକ ବର୍ଷା ହେବ । ସେହିପରି ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜରେ କମ୍ ବର୍ଷା ହେବ । ଲଘୁଚାପ ଡିସେମ୍ବର ୧ରେ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ରୂପ ନେବା ପରେ ଏହା କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଉପରେ ରହିବ । ତେବେ ଏହା କେଉଁ ଦିଗକୁ ଗତି କରିବ ସ୍ପଷ୍ଟ ଜଣା ପଡିନାହିଁ।

କିନ୍ତୁ ୩ ତାରିଖରେ ଏହା ବାତ୍ୟା ରୂପ ନେବ । ୪ରୁ ଉତ୍ତର ପୂର୍ବରେ ଗତି କରି ୬ ତାରିଖ ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ ବୋଲି କୁହାଯାଉଛି  ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ ଓ ଅଶାନ୍ତ ରହିବ। ୧ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ୧ ତାରିଖ ପୂର୍ବରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଏସଆରସିଙ୍କ ପକ୍ଷରୁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖା ହୋଇଛି।