ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବା ସହ ଜଳ ଧାରଣା କ୍ଷମତା ହ୍ରାସ ପାଉଛି । ଜମିକୁ ଜଳସେଚନ କରିବାରେ ଚାଷୀ ବଞ୍ଚିତ ହେଉଛି। ଘୁଙ୍ଗୀ ଯୋରରେ ନିର୍ମିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ ଆଇ ପି ) ଏହାର ଏକ ନମୁନା । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୪୬ ବର୍ଷ ତଳେ ଘୁଙ୍ଗୀ ଯୋରରେ ଲୁତୁରପଙ୍କ- ତେଲିପାଲି ମଧ୍ୟରେ ତିଆରି ହୋଇଥିଲା ଆଡ଼ିବନ୍ଧ । ଆଡିବନ୍ଧ ତଳେ ଉଭୟ ପାର୍ଶ୍ଵରେ ଥିବା ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଥିଲା ଏହାର ଉଦ୍ଧେଶ୍ୟ । ତେବେ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୧୦/୧୨ ବର୍ଷ ପରେ ବିଭାଗୀୟ ଅବହେଳାରୁ ଏହା ଚାଷୀଙ୍କ ଆବଶ୍ୟକତା ପୂରଣ କରିବାରେ ବିଫଳ ରହିଛି । ପ୍ରକଳ୍ପରେ କୁଢ କୁଢ ପଙ୍କ ସାଙ୍ଗକୁ ଦଳ ଭରିଯାଇ ଏହାର ଜଳଧାରଣ କ୍ଷମତା ଢେର ହ୍ରାସ ପାଇଛି । ବହୁ ବର୍ଷ ତଳେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ଆଡ଼ିବନ୍ଧ ତଳ ଭାଗରେ ଥିବା ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ୫ ଖଣ୍ଡ ଗ୍ରାମର ୪୫୪ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ପାରୁଥିଲା । ଅନାବୃଷ୍ଟି ସମୟରେ ବ୍ଲକ ଅନ୍ତର୍ଗତ ବଙ୍କିଆ , ଭୂତିଆପାଲି , ଚଉକା , ମୁର୍ଷୁଣ୍ଢୀ ଓ ଘଣ୍ଟପାଲି ଆଦି ଗ୍ରାମର ଚାଷୀ ଏଥିରୁ ଉପକୃତ ହେଉଥିଲେ I କିନ୍ତୁ ବର୍ତ୍ତମାନ ଏହି ପ୍ରକଳ୍ପ ରୁ ଗୋଟିଏ ବି ଗ୍ରାମର ଚାଷଜମି ଠିକ୍ ଭାବେ ପାଣି ମାଡୁ ନଥିବାବେଳେ ମୁର୍ଷୁଣ୍ଢୀ ଓ ଭୁତିଆପାଲି ଆଦି ଗ୍ରାମକୁ ପାଣି ଆସୁନାହିଁ । ମଝିରେ ମଝିରେ ଏହାର ମରାମତି କରାଯାଉଥିଲେ ମଧ୍ୟ ଏଥିରୁ କିଛି ସୁଫଳ ମିଳୁନାହିଁ । ପ୍ରକଳ୍ପର ଆଡ଼ିବନ୍ଧ ରେ ଫାଟ ହୋଇ ପାଣି ଝରିବା ତଥା କେନାଲ ଗୁଡିକ ପଙ୍କ , କାଦୁଅରେ ଭରିଯାଇଛି । ଗତ କିଛି ବର୍ଷ ତଳେ ଏହି ପ୍ରକଳ୍ପ ମରାମତି କାର୍ଯ୍ୟ ହୋଇଥିଲା । ପରେ ଏହାର ପୁନରୁଦ୍ଧାର ପାଇଁ ପ୍ରଶାସନ ପାଖକୁ ପ୍ରସ୍ତାବ ପଠାଯାଇଥିଲେ ମଧ୍ୟ ଅଦ୍ୟାବଧି ଏ ଦିଗରେ କିଛି ଅଗ୍ରଗତି ହୋଇଥିବା ଜଣାପଡିନାହିଁ। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ବୀରମହାରାଜପୁର ଘୁଙ୍ଗୀଯୋର ପ୍ରକଳ୍ପ ର ପୁନରୁଦ୍ଧାର ପାଇଁ ଦାବି
