ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର – ସୁବଳୟା ମୁଖ୍ୟ ରାସ୍ତା ଷଣ୍ଢା ଗ୍ରାମ ନିକଟରେ ସୋମବାର ସକାଳୁ ଏକ ଓଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣେ ଆହତ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି । ବୀରମହାରାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ରୁ ଏକ ଓଟୋ ଯୋଗେ ବଡ଼ଖମାର ଗ୍ରାମକୁ ନଳକୂପ ସଜାଡିବାକୁ ଯାଉଥିବାବେଳେ ଷଣ୍ଢା ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତା ଉପରେ ଉକ୍ତ ଓଟୋ ଟି ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣା ର ସମ୍ମୁଖିନ ହୋଇଥିଲା । ଫଳରେ ଅଟୋରେ ବସିଥିବା ଦୁଇ ଏସସିଏମ କର୍ମଚାରୀଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତ କର୍ମଚାରୀ ଜଣକ ତ୍ରିଲୋଚନ ବିଶ୍ୱାଳ ଏବଂ ଗୁରୁତର ଆହତ ଜଣକ ବାବୁଲା କଲତା ବୋଲି ଜଣାପଡିଛି । ଉଭୟ ଆହତ ଓ ଗୁରୁତରଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏଥିରେ ଶ୍ରୀ କଲତା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସୁବଳୟା ଥାନା ଅନ୍ତର୍ଗତ ଚନ୍ଦଳି ପାହାଡ ନିକଟସ୍ଥ ବୁଲାଣି ରାସ୍ତା ରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଏଥିରେ ଥିବା ଦୁଇ ବାଇକ ଆରୋହୀ ଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସୁବଳୟା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ଏବଂ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତୁରନ୍ତ ବୁର୍ଲା ବଡ଼ ଡାକ୍ତରଖାନାକୁ ତ୍ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଉକ୍ତ ଦୁଇ ଗୁରୁତର ହେଲେ ସେରର୍ଗେଡା ଗ୍ରାମର ଶରତ ବେହେରା ଓ ସାଲେଇପଦର ଗାଁ’ର ପ୍ରଫୁଲ୍ଲ ଜଟି ବୋଲି ଜଣାଯାଇଛି ।
ଭିନ୍ନ ଭିନ୍ନ ଶଡକ ଦୁର୍ଘଟଣା ରେ ଜଣେ ଆହତ ଏବଂ ତିନି ଗୁରୁତର
