Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପାଳିଙ୍କ ରାଜନୈତିକ ମହତ୍ଵାକାଂକ୍ଷୀ ଆଗରେ ତୁଚ୍ଛ ହୋଇଗଲା ନବ ଦାସଙ୍କ ହତ୍ୟା ମାମଲା !

ଝାରସୁଗୁଡା: ନା ମନରେ ଅଛି ଅନୁଶୋଚନା ନା ଅଛି ଗ୍ଲାନି। ଲାଗୁଛି ସତେ ଯେମିତି ନବ ଦାସଙ୍କ ସ୍ଵାଭାବିକ ପରଲୋକ ଘଟିଛି। ଲାଗୁଛି କୌଣସି ଦୁରାଗ୍ୟ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରି ଆଖି ବୁଝିଛନ୍ତି ନବ ଦାସ। ଆମେ ଏହା କହୁନାହୁଁ ଏହା କହୁଛି ନବ ଦାସଙ୍କ ଏକ ମାତ୍ର ଝିଅ ଦୀପାଳି ଦାସଙ୍କ ଆଭିମୁଖ୍ୟ, ତାଙ୍କ ପ୍ରତିକ୍ରିୟା, ଆଚାର ବ୍ୟବହାର ଏବଂ ଗତିବିଧି। ଦୀପାଳିଙ୍କୁ ଦେଖିଲେ ଲାଗୁଛି ନବ ଦାସଙ୍କ ମୃତ୍ୟୁକୁ ଅନେକ ବର୍ଷ ବିତି ଗଲାଣି ଏବଂ ଜନ ମାନସରୁ ତାଙ୍କ ହତ୍ୟାକାଣ୍ଡ ଲିଭି ସାରିଛି। ଏହି ପ୍ରଶ୍ନ ଏଥିପାଇଁ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି କାରଣ କେମିତି ଜଣେ ଝିଅ ନିଜ ବାପାଙ୍କ ହତ୍ୟାକାଣ୍ଡରେ ନ୍ୟାୟ ପାଇବା ପାଇଁ ଥରୁଟିଏ ମୁହଁ ଫିଟାଇ ନାହାନ୍ତି। ଯଦିଓ କିଛି ପ୍ରତିକ୍ରିୟା ଦେଇଛନ୍ତି ତାହା ବିରୋଧୀ ଦଳ ପାଇଁ ଉଦ୍ଦିଷ୍ଟ ଥିଲା। ଅପରପକ୍ଷେ ଝାରସୁଗୁଡା ଉପ ନିର୍ବାଚନର ପାଇଁ ଦୀପାଳିଙ୍କୁ ପ୍ରାର୍ଥୀ ଘୋଷଣା ପରେ ତାଙ୍କର ଖୁସି କହିଲେ ନସରେ।

ନବ ଦାସଙ୍କ ହତ୍ୟାକାଣ୍ଡକୁ ଦୁଇ ମାସରୁ ଉର୍ଦ୍ଧ୍ଵ ସମୟ ବିତିଗଲାଣି। ତଦନ୍ତ କେତେ ବାଟ ଗଲା ତାର ଉତ୍ତର କାହା ପାଖରେ ନାହିଁ। ଜଣେ ପ୍ରଭାବଶାଳୀ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିନ ଦ୍ଵିପ୍ରହରରେ ଗୁଳି କରି ହତ୍ୟା କରାଗଲା, ସେ ନେଇ ରାଜ୍ୟବାସୀ ସ୍ତବ୍ଧ। ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା ? ହତ୍ୟା ପଛର କାରଣ କଣ ? ଏହା ପଛରେ କୌଣସି ବିରାଟ ଷଡଯନ୍ତ୍ର ରହିଛି କି ? ଯଦି ରହିଛି ତେବେ ଏହାର ପ୍ରଚ୍ଛଦପଟ୍ଟରେ ରହିଥିବା ପ୍ରଭାବଶାଳୀ ଲୋକ କିଏ ? ଏମିତି ଅନେକ ପ୍ରଶ୍ନ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି। ଅଥଚ୍ ତଦନ୍ତର ପ୍ରକ୍ରିୟା କେମିତି ଚାଲିଛି, କେତେ ବାଟ ଗଲା ଏବଂ କେବେ ନ୍ୟାୟ ମିଳିବ ଥରୁଟିଏ ହେଲେ ଏହା ଉପରେ ଗଣମାଧ୍ୟମରେ ପ୍ରତିକ୍ରିୟାଟିଏ ଦେଇ ନାହାନ୍ତି ଦୀପାଳି ଏବଂ ତାଙ୍କ ପରିବାର ସଦସ୍ୟ। ବାସ୍ତବରେ କଣ ଗୋପାଳ ଦାସ ପ୍ରକୃତ ହତ୍ୟାକାରୀ ନା ଏହା ପଛରେ ଆଉ କାହାର ସଂପୃକ୍ତି ରହିଛି ପଦୁଟିଏ ବି ପଚାରି ନାହାନ୍ତି ଦୀପାଳି। ଅଲଟା ନବ ଦାସଙ୍କ ହତ୍ୟା ପରେ ଖାଲି ପଡିଥିବା ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ଟିକେଟ୍ ପାଇବା ପରେ ଅତ୍ୟନ୍ତ ଆନନ୍ଦିତ ହୋଇ ଉଠିଛନ୍ତି ସେ। ବାପା ଥିଲେ ଆଜି ସେ ବହୁତ ଖୁସି ହୋଇଥାନ୍ତେ ବୋଲି ଆତ୍ମ ବିଭୋର ହୋଇ କହିଛନ୍ତି।

ଦୀପାଳିଙ୍କ ମୁହଁରୁ ଏମିତି ଟିପ୍ପଣୀ ଶୁଣିବା ପରେ ସାମାଜିକ ଗଣମାଧ୍ୟମରେ ଲୋକେ ପ୍ରଶ୍ନ ପଚାରୁଛନ୍ତି ଯେ, ଯଦି ନବ ଦାସ ବଞ୍ଚିଥାନ୍ତେ କଣ ଉପ ନିର୍ବାଚନ ହୋଇଥାନ୍ତା ନା ତୁମକୁ ଟିକେଟ୍ ମିଳିଥାନ୍ତା ? ଜନମାନସଙ୍କ ଏହି ପ୍ରଶ୍ନ ମଧ୍ୟ ଯୁକ୍ତିସଙ୍ଗତ। ନବ ଦାସଙ୍କୁ ହତ୍ୟା କରାଯାଇନଥିଲେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡିନଥାନ୍ତା ଏବଂ ଉପ ନିର୍ବାଚନର ଅବକାଶ ମଧ୍ୟ ନଥାନ୍ତା। ଦୀପାଳିଙ୍କୁ ଦେଖିଲେ ଲାଗୁଛି ଯେମିତି ସେ ନବ ଦାସଙ୍କ ହତ୍ୟା ପରେ ଟିକେଟ୍ ପାଇବାକୁ ଚାହିଁ ରହିଥିଲେ। ବାସ୍ତବରେ ନବ ଦାସଙ୍କ ହତ୍ୟା ଘଟଣାରେ ଦୀପାଳି ଉଚିତ୍ ନ୍ୟାୟ ଚାହୁଁଛନ୍ତି କି ?

ଉପ ନିର୍ବାଚନ ଜିତିବା ପାଇଁ ଦୀପାଳି ଅଣ୍ଟା ଭିଡିଛନ୍ତି। ରାଜନୀତିରେ ଉଣା ଅଧିକେ ତାଙ୍କର ଅଭିଜ୍ଞତା ରହିଛି। ତେବେ ନବ ଦାସଙ୍କ ମୃତ୍ୟୁକୁ କେଇଟି ନଯାଉଣୁ ନିର୍ବାଚନକୁ ନେଇ ଦୀପାଳିଙ୍କ ଗତିବିଧି ଦେଖିଲେ ଲାଗୁଛି ନବ ଦାସଙ୍କ ହତ୍ୟା ଘଟଣା ବହୁ ପଛକୁ ଚାଲି ଯାଇଛି। ଖୋଦ୍ ଦୀପାଳିଙ୍କ ବିରୋଧୀଙ୍କ ପ୍ରଶ୍ନକୁ ନେଇ ଦେଇଥିବା ଜବାବ ଏହା ଦର୍ଶାଉଛି। ଦୀପାଳିଙ୍କ ଏପରି ଆଭିମୁଖ୍ୟ ଦର୍ଶାଉଛି ଯେ, ନବ ଦାସଙ୍କ ହତ୍ୟାକାଣ୍ଡ ଆଗରେ ତାଙ୍କର ରାଜନୈତିକ ମହତ୍ଵାକାଂକ୍ଷୀ କେତେ ବଡ। ଏହା ମଧ୍ୟ ସ୍ପଷ୍ଟ ପ୍ରତୀତମାନ ହେଉଛି ଯେ, ରାଜନୀତି, କ୍ଷମତା, ପତିଆରା ଆଗରେ ସଂପର୍କର ମୂଲ୍ୟ କେତେ ତୁଚ୍ଛ। କେବଳ ନବ ଦାସ ଏବଂ ଦୀପାଳି ଦାସଙ୍କ ନୁହନ୍ତି ଏମିତି ଅନେକ ମାମଲା ରହିଛି ଯେଉଁଠି ରାଜନୈତିକ ପତିପାରା ପାଇଁ ବାପ-ପୁଅ, ଭାଇ-ଭାଇ ଏବଂ ଭାଇ-ଭଉଣୀ ପରସ୍ପର ବିରୋଧରେ ନିର୍ବାଚନ ଲଢିବାର ନଜିର ମଧ୍ୟ ରହିଛି।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ମେ ୧୦ ତାରିଖରେ ମତଦାନ ହେଉଥିବା ବେଳେ ମେ ୧୩ ତାରିଖରେ ଭୋଟ୍ ଗଣତି କରାଯିବ। ତାରିଖ ଘୋଷଣାର ଦୁଇ ଦିନ ପରେ ଶାସକ ବିଜୁ ଜନତା ଦଳ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ଅନୁକମ୍ପାମୂଳକ ଭୋଟ୍ ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଛି। ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେପି ପୂର୍ବତନ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ ଜଣା ପଡୁନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ