ଗଜା ମରୁଡି ସାଧିଥିଲା ଦାଉ, ଅଦିନିଆ ବର୍ଷା ଉଜାଡ଼ିଦେଲା ଧାନକ୍ଷେତ


ବେଲଗୁଣ୍ଠା, 06/12, ଚଳିତ ବର୍ଷ ବେଲଗୁଣ୍ଠା ବ୍ଳକ୍ ର ଚାଷୀଙ୍କ ଭାଗ୍ୟରେ ଲାଗିଛି ଶନି ଦଶା I ପ୍ରଥମେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧିଥିବା ବେଳେ ଏବେ ଅଦିନିଆ ବର୍ଷା ଚାଷୀଙ୍କ ସବୁ ସୁଖକୁ ଧୋଇ ନେଇଛି I ଚଳିତ ବର୍ଷ ଆରମ୍ଭରୁ ହିଁ ବେଲଗୁଣ୍ଠା ବ୍ଳକ୍ ର ଚାଷୀଙ୍କୁ ଧୋକ୍କା ଦେଇଥିଲା ନିଅଣ୍ଟିଆ ବର୍ଷା I ଠିକ୍ ସମୟରେ ଆବଶ୍ୟକ ପରିମାଣର ବର୍ଷା ନହେବାରୁ ବେଲଗୁଣ୍ଠା ବ୍ଳକ୍ ପ୍ରାୟ 25 ଭାଗ ରୁ ଅଧିକାଂଶ ଜମି ପଡ଼ିଆ ପଡ଼ିଥିବା ବେଳେ ବାକି ଜମିରେ ଧାନ ଫସଲ ହୋଇଥିଲେ ମଧ୍ୟ ଗଛରେ ଧାନର ପରିମାଣ କମ୍ ଥିଲା I ତଥାପି ଚାଷୀ ଆଶା କରିଥିଲା ବଞ୍ଚିଯାଇଥିବା ଧାନ ଗଛ ଗୁଡ଼ିକରୁ ଧାନ ସାଉଁଟି ନେଇ ନିଜର ବର୍ଷକର ଆହାର ଯୋଗାଡ଼ କରିବାକୁ I କିନ୍ତୁ ବର୍ତ୍ତମାନ ଚାଷୀର ସ୍ଵପ୍ନ ସ୍ଵପ୍ନରେ ହିଁ ରହିଯାଇଛି I ବାତ୍ୟା ମିଗଜୋମ୍ ର ପ୍ରଭାବରେ ମଙ୍ଗଳବାର ଠାରୁ ଲାଗି ରହିଥିବା ଅଦିନିଆ ବର୍ଷାରେ ଧୋଇ ହୋଇଯାଇଛି ଚାଷୀର ସୁଖ I ପାଚିଲା ଧାନ ଗଛ ଉପରେ ପାଣି ପଡିବା ମାତ୍ରକେ ଗଛରୁ ଧାନ ଛିଡି଼ ମାଟିରେ ମିଶି ଯାଇଛି I କିଛି ଖାଲୁଆ ଜମିରେ ଧାନ ଗଛ ଉପରେ ପାଣି ମାଡିଯିବା ଯୋଗୁଁ ଜମିରେ ଧାନ ଗଛ ସବୁ ଶୋଇପଡିଛି I କିଛି ଜମିରେ କୃଷକ ମାନେ ତରବରିଆ ଭାବେ ଧାନ କାଟି ରଖିଥିଲେ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେଇପାରିନାହାନ୍ତି I ଫଳରେ କଟା ଯାଇଥିବା ଧାନ ଗଛ ଗୁଡ଼ିକ ବର୍ଷା ପ୍ରଭାବରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି I ପୂର୍ବରୁ ବର୍ଷା ଅଭାବରୁ ପ୍ରାୟ ପଚାଶ ପ୍ରତିଶତରୁ ଅଧିକ ଧାନ ଫସଲ ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତମାନ ଅଦିନିଆ ବର୍ଷା ପ୍ରଭାବରେ ବଳକା ଧାନ ନଷ୍ଟ ହୋଇଯାଇଛି, ଯାହା ଚାଷୀଙ୍କ କଟା ଘାଆରେ ଚୁନ ଛିଟା ମାରିବା ସଦୃଶ ହୋଇଛି I ବର୍ତ୍ତମାନ ଚାଷୀମାନେ ନିଜ ଉଜୁଡ଼ି ଯାଇଥିବା ଧାନ କ୍ଷେତକୁ ଦେଖି ଆଖିରୁ ଲୁହ ଗଡାଉଥିବା ଦେଖିବାକୁ ମିଳିଛି I ପୂର୍ବରୁ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତି ପୂରଣ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ବେଳେ ବର୍ତ୍ତମାନ ଅଦିନିଆ ବର୍ଷା ଯୋଗୁଁ ଉଜୁଡ଼ା ଧାନ କ୍ଷେତ ଚାଷୀର ଦୁର୍ଦ୍ଦଶାକୁ ଆହୁରି ବଢାଇଦେଇଛି I ତେଣୁ ତୁରନ୍ତ ପ୍ରଶାସନିକ ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ କ୍ଷତିପୁରଣ ଦିଗରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି I