ସମ୍ବଲପୁର(ବାମରା):ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ କାଗଜପତ୍ର,ହିସାବ କିତାବ ଓ କାର୍ଯ୍ୟକଳାପକୁ ନଥିରେ ଲିପିବଦ୍ଧ କରୁଥିବା ଏମବିକେ(ମାଷ୍ଟର ବୁକ କିପର)ମାନଙ୍କ କମ୍ପ୍ୟୁଟର ଦକ୍ଷତା ବୃଦ୍ଧି କରିବା , ସୂଚନା ଜ୍ଞାନ କୌଶଳ, ଅକାଉଣ୍ଟିଙ୍ଗ ତଥା ଇ ଗଭରନାନ୍ସ ସହ ଖାପ ଖୁଆଇ ପ୍ରତ୍ୟେକ କାର୍ଯ୍ୟ ଶୈଳୀର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ପକ୍ଷରୁ ଏକ ଟ୍ରେନିଂ ପ୍ରୋଗ୍ରାମ ଆୟୋଜନ କରାଯାଇଛି । ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଉକ୍ତ ଟ୍ରେନିଂ ପ୍ରୋଗ୍ରାମର ପରିଚାଳନା ପାଇଁ ଓଡିଶା କମ୍ପ୍ୟୁଟର ଏପ୍ଲିକେସନ ସେଣ୍ଟର(ଓକାକ୍) ଏବଂ ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼(ଓକେସିଏଲ)କୁ ମିଳିତ ଭାବେ ଦାୟିତ୍ତ୍ୱ ହସ୍ତାନ୍ତର କରାଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ପୂର୍ବାହ୍ନରେ ଯୁଜୋମୁରା ବ୍ଲକ ଅଫିସ ସ୍ଥିତ ଓସୱାନ ସେଣ୍ଟର ଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଆଇଏଏସ ଅଫିସର ମିଶନ ଶକ୍ତି ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ଯୁଜୋମୁରା ବିପିଏମ୍ ଶ୍ରୀଯୁକ୍ତ ପ୍ରଶାନ୍ତ ନାୟକ ,ମିଶନ ଶକ୍ତି ବିପାକା ଅଭିସ୍ମିତ ବେହେରା ଏବଂ ଓରିଟେକ କମ୍ପୁଟର ଏଡୁକେସନ୍ ର ସୁଜିତ କୁମାର ବେହେରା, ଦିନେଶ ନାଗ ଓ ଡିଲେଶ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ପର୍ଯ୍ୟାୟର ଟ୍ରେନିଂ ପ୍ରୋଗ୍ରାମରେ ବ୍ଲକର ସମସ୍ତ ପଞ୍ଚାୟତରେ କାର୍ଯ୍ୟରତ ଏମବିକେ ମାନଙ୍କୁ ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ଅବଗତ କରାଯାଇ ୨୦ ଦିନ ଧରି ପ୍ରଶିକ୍ଷଣ ନେବାକୁ ପରାମର୍ଶ ଦିଆଯାଇଛି । ଓକେସିଏଲ ଦ୍ୱାରା ପଡିଆବାହାଲ ସ୍ଥିତ ଅଧିକୃତ ଶିକ୍ଷା କେନ୍ଦ୍ର ଓରିଟେକ କମ୍ପୁଟର ଏଡୁକେସନ୍ ସେଣ୍ଟରରେ ଉକ୍ତ ଟ୍ରେନି ପ୍ରୋଗ୍ରାମ ଆୟୋଜିତ ହେବ ବୋଲି ସଂସ୍ଥାର ନିର୍ଦ୍ଦେଶକ ସୁଜିତ କୁମାର ବେହେରା ସୂଚନା ଦେଇଛନ୍ତି । କେନ୍ଦ୍ର ପକ୍ଷରୁ ପ୍ରଭାତୀ ମଗର, ନିକି ଭୋଇ, ରାଜେଶ ମିର୍ଦ୍ଧା ଓ କମଲେଶ ବାଘ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ମିଶନ ଶକ୍ତି ପକ୍ଷରୁ ଏମବିକେ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ
