ଜି. ଉଦୟଗିରି : ବାତ୍ୟା ପରେ ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି । ଗତ ୩ ଦିନ ହେବ ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ । ଜି.ଉଦୟଗିରିରେ ସବୁଠୁ କମ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ପାରଦ ୭ ଡିଗ୍ରୀ ସେଲସିୟସ ତଳେ ରହିଛି। ବିଶେଷ କରି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଅଛି ।
ପାଣିପାଗ ବିଭାଗ ଅନୁଯାୟୀ, ଜି.ଉଦୟଗିରି ସହରର ଆଜିର ତାପମାତ୍ରା ୭ ଡିଗ୍ରୀ ସେଲସିୟସ ତଳେ ରହିଛି । ଗତ କିଛି ଦିନ ହେବ ପ୍ରବଳ ଜାଡରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଦିନ ସମୟରେ ବି ଥଣ୍ଡା ଅନୁଭୂତ ହେଉଛି । ସନ୍ଧ୍ୟା ୭ ଘଣ୍ଟା ପରେ ଜନ ଶୂନ୍ୟ ହେଉଛି ସହର । ବିଭିନ୍ନ ସ୍ଥାନରେ ଲୋକେ ନିଆଁ ପାଖରେ ବସି ଶୀତରୁ ରକ୍ଷା ପାଉଥିବା ଥିବା ଦେଖିବାକୁ ମିଳିଛି ।
କେବଳ ଜି ଉଦୟଗିରି ନୁହେଁ ଜିଲ୍ଲାର ଦାରିଙ୍ଗିବାଡି, ଫୁଲବାଣୀ ଆଦି ଅନେକ ସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେଉଛି । ରାଜ୍ୟର ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀକୁ ଖସିଲାଣି । ଆଗାମୀ ଦିନରେ ଶୀତର ପ୍ରକୋପ ବଢିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।