BCCIର ବଡ ନିଷ୍ପତି, ସଚିନଙ୍କ ପରେ ଟିଟାୟର ନେଲା ଏମଏସ ଧୋନୀଙ୍କ ଜର୍ସି ନମ୍ବର ୭


ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀଙ୍କ ଜର୍ସି ନମ୍ବର ୭କୁ ଏବେ ଆଉ କୌଣସି ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ପିଠିରେ ଦେଖିବାକୁ ମିଳିବ ନାହିଁ । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ସଚିନ ତେନ୍ଦୁଲକରଙ୍କ ପରେ ମହେନ୍ଦ୍ର ସିଂ ଧୋନୀଙ୍କ ଜର୍ସି ନମ୍ବରକୁ ରିଟାୟର କରି ଦେଇଛି । ତେନ୍ଦୁଲକରଙ୍କ ଅବସରର କିଛି ଦିନ ପରେ ତାଙ୍କର ଜର୍ସି ନମ୍ବର-୧୦କୁ ମଧ୍ୟ ବିସିସିଆଇ ରିଟାୟର କରିଥିଲା । ଏହାର ଅର୍ଥ ସଚିନଙ୍କ ପରେ ଏବେ ଧୋନୀଙ୍କ ଜର୍ସି ନମ୍ବର ୭କୁ ଆଉ କୌଣସି ଖେଳାଳି ନିଜ ଜର୍ସିରେ ବ୍ୟବହାର କରି ପାରିବେ ନାହିଁ ।

ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ ଟି-୨୦ ବିଶ୍ୱକପ୍‌, ୨୦୧୧ ଦିନିକିଆ ବିଶ୍ୱକପ୍ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଧୋନୀ ଏକମାତ୍ର ଅଧିନାୟକ ଯାହାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତିନି ଆଇସିସି ଟ୍ରଫି ଜିତିଥିଲା । ଧୋନୀଙ୍କୁ ସମ୍ମାନ ଜଣାଇ ବିସିସିଆଇ ଏବେ ଏହି ନିଷ୍ପତି ନେଇଛି । ବିସିିସିଆଇ ଭାରତୀୟ ଖେଳାଳିଙ୍କୁ ଅବଗତ କରାଇ ଦେଇଛି ଯେ, ସେମାନେ ଜର୍ସି ନମ୍ବର-୭ ବ୍ୟବହାର କରି ପାରିବେ ନାହିଁ । ନୂତନ ଖେଳାଳିଙ୍କୁ ନମ୍ବର ୭ ଓ ନମ୍ବର ୧୦ ଜର୍ସି ମିଳିବ ନାହିଁ ।

ଆଇସିସି ନିୟମ ଅନୁଯାୟୀ, ଖେଳାଳି ଏକରୁ ୧୦୦ ମଧ୍ୟରେ କୌଣସି ବି ଜର୍ସି ନମ୍ବର ବାଛି ପାରିବେ । ମାତ୍ର ଭାରତୀୟ ଖେଳାଳିଙ୍କ ପାଇଁ ଏହି ବିକଳ୍ପି ସୀମିତ ହୋଇ ଯାଇଛି । ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ସଂପ୍ରତି କ୍ରିକେଟରଙ୍କ ମଧ୍ୟରେ ୬୦ ଜର୍ସି ନମ୍ବର ଦିଆଯାଇଛି । ଏମିତି ଯଦି କୌଣସି ଖେଳାଳି ବର୍ଷ ସାରା କ୍ରିକେଟରୁ ଦୂରରେ ରହେ ତଥାପି ଆମେ ଅନ୍ୟ ଖେଳାଳିଙ୍କୁ ତାଙ୍କର ଜର୍ସି ନମ୍ବର ଦେଉ ନାହିଁ । ଏମିତିରେ ଯେଉଁ ଖେଳାଳି ଡେବ୍ୟୁ କରିବେ, ତାଙ୍କ ପାଖରେ ୩୦ ପାଖାପାଖି ଜର୍ସି ନମ୍ବର ଚୟନ କରିବାର ଅଧିକାର ରହିଛି ।

ନିକଟରେ ଯଶସ୍ୱୀ ଜୟସ୍ୱାଲ ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ତାଙ୍କୁ ଜର୍ସି ନମ୍ବର ୧୯ ଦରକାର ଥିଲା । କିନ୍ତୁ ଏହି ଜର୍ସି ନମ୍ବର ଦିନେଶ କାର୍ତ୍ତିକଙ୍କର । ଜୟସ୍ୱାଲ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏହି ଜର୍ସି ନମ୍ବର ପିନ୍ଧି ଖେଳୁଥିଲେ । ମାତ୍ର ବିସିସିଆଇ ମନା କରିବା ପରେ ସେ ୬୪ ଜର୍ସି ନମ୍ବର ବାଛି ନେଲେ ।