ଭୁବନେଶ୍ୱର: ନିକଟରେ ପାଂଚଟି ରାଜ୍ୟରେ ସଂପନ୍ନ ବିଧାନସଭା ନିର୍ବାଚନରେ ଚମକପ୍ରଦ ବିଜୟରେ ଉତଫୁଲ୍ଲିତ ଭାରତୀୟ ଜନତା ପାର୍ଟି । ଅନ୍ୟ ରାଜ୍ୟରେ ପାର୍ଟିର ବିଜୟରେ ଓଡିଶା ବିଜେପି ଶିବିର ମଧ୍ୟ ବେଶ ଆନନ୍ଦିତ । ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି । ଏହା ମଧ୍ୟରେ ଓଡିଶାରେ ଦଳର ବିଜୟକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଓଡିଶାରେ ଅତି କମରେ ୧୫ଟି ଆସନ ଜିତିବ ବୋଲି ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏମିତି ଦୃଢୋକ୍ତ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରଧାନ । ଓଡିଶାରେ ନରେନ୍ଦ୍ର ମୋଦୀଙ୍କ ଲୋକଗ୍ରହଣୀୟତା ୮୦ ପ୍ରତିଶତ ରହିଛି । ତେଣୁ ଆମେ ଗତ ନିର୍ବାଚନ ଅପେକ୍ଷା ୨୦୨୪ରେ ଆହୁରି ଭଲ କରିବୁ ।
ପ୍ରଧାନ କହିଛନ୍ତି, ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟରେ ୨୨ ପ୍ରତିଶତ ଭୋଟ୍ ପାଇ କେବଳ ଗୋଟିଏ ଲୋକସଭା ଆସନ ଜିତିଥିଲା । ୨୦୧୯ରେ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଇବା ସହ ଦଳ ୮ଟି ଆସନ ଜିିତିଥିଲା । ଏହା ସହିତ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ହାର ବଢିଥିଲା । ତେଣୁ ସେହି ହିସାବରେ ୨୦୨୪ ନିର୍ବାଚନରେ ବିଜେପି ୪୫ ପ୍ରତିଶତ ଭୋଟ୍ ପାଇବ । ଅନ୍ୟପଟେ ଏକ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓର ସର୍ଭେ ଅନୁସାରେ ୨୦୧୯ ତୁଳନାରେ ୨୦୨୪ ନିର୍ବାଚନରେ ବିଜେଡି ଅଧିକ ଲୋକସଭା ଆସନ ଜିତିବ । ଦଳ ଗତ ଲୋକସଭା ନିର୍ବାଚନରେ ୧୨ଟି ଆସନ ଜିତିଥିବା ବେଳେ ୨୦୨୪ରେ ଏହା ବଢି ୧୩ରୁ ୧୫ ହେବ । ତେଣୁ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଓ ବିଜେଡି କେତେ ଆସନ ଜିତିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଦାବି କରୁଛନ୍ତି ଯେ, ଆଗାମୀ ନିର୍ବାଚନରେ ତାଙ୍କ ଦଳ ସରକାର ଗଠନ କରିବ । ବିଜେଡି କହୁଛି ଦୁଇ ବିରୋଧୀ ଦଳଙ୍କର ରାଜ୍ୟରେ ଜନାଧାର ନାହିଁ । ଓଡିଶାରେ ଏକ ମାତ୍ର ଭରସାଯୋଗ୍ୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ବିରୋଧୀ ବିଜେପି ଓ କଂଗ୍ରେସ କେବଳ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏମିତି ବୟାନ ଦେଉଛନ୍ତି । କଂଗ୍ରେସର କହିବା କଥା ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ସରକାର ଚାଲିଛି । ଦୁଇ ଦଳ ପରସ୍ପର ମଧ୍ୟରେ ସାଲିସ୍ କରିଛନ୍ତି । ତେଣୁ ଓଡିଶାରେ ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ । ତେବେ ସବୁଠୁ ବଡ କଥା ହେଉଛି, ଆଗାମୀ ନିର୍ବାଚନରେ ବିଜେପିର ଆଭିମୁଖ୍ୟ କିଭଳି ରହୁଛି ତାହା ଡିସେମ୍ବର ୨୪ ତାରିଖ ଆପାତତଃ ସ୍ପଷ୍ଟ ହୋଇଯିବ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଏହି ଦିନ ସମ୍ବଲପୁରରେ ସେ ଏକ ଜନସଭାକୁ ସମ୍ଭୋଧିତ କରିବେ । ଦେଖିବା ବାକି ରହିଲା ସେ ନବୀନ ସରକାରଙ୍କ ପ୍ରତି କେଉଁ ଆଭିମୁଖ୍ୟ ଆପଣଉଛନ୍ତି ।