Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୀମାନ୍ତ କନକତୋରା ଗ୍ରାମରେ ସଶସ୍ତ୍ର ଡକାୟତି ଘଟଣା ଜଣେ ନାବାଳକ ସହ ୫ ଅଭିଯୁକ୍ତ ଗିରଫ

ଝାରସୁଗୁଡା ୧୫/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ସୀମାନ୍ତ କନକତୋରା ଗ୍ରାମରେ ଗତ ୬ ତାରିଖ ବିଳମ୍ବିତ ରାତିରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ଜଣେ ନାବାଳକ ସହ ୫ ଜଣ ଅଭିଯୁକ୍ତଙ୍କୁ ରେଙ୍ଗାଲି ପୁଲିସ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ସୁନ୍ଦରଗଡ ଜିଲ୍ଲା ସଦର ଟାଉନ ଥାନା ଅଞ୍ଚଳର ଶେଖ ସାହାଜାଦାଙ୍କ ପୁଅ ଶେଖ ନବାଵ(୩୦),ଶେଖ ଫରିଦଙ୍କ ପୁଅ ଶେଖ ସାହାଜାଦା (୫୦), ସିଦ୍ଧିକ ଅଲ୍ଲୀଙ୍କ ପୁଅ ଗୁଲଫାମ ଅଲ୍ଲୀ (୨୦), ଅବଦୁଲ ରସିଦଙ୍କ ପୁଅ ମହମ୍ମଦ ସାହିଲ (୨୬) ଏବଂ ଅନ୍ୟ ଜଣେ ନାବାଳକ ରହିଛି । ସେମାନଙ୍କ ଠାରୁ ଏକ ଦେଶୀ ପିସ୍ତଲ, ଏକ ଛୁରୀ ଓ ଦୁଇଟି ମୋବାଇଲ ଫୋନ ଜବତ କରିବା ସହ ଚୋରି କରିଥିବା ସୁନା ଚେନ କୁ ମଧ୍ୟ ଉଦ୍ଧାର କରା ଯାଇଛି । ଅଭିଯୁକ୍ତ ମାନଙ୍କ ନାଁ ରେ ସୁନ୍ଦରଗଡ଼, ରାଉରକେଲା , ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକାଧିକ ଅପରାଧ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଆଜି ନାବାଳକକୁ ସ୍ୱଧାର ଗୃହକୁ ପଠା ଯାଇଥିବା ବେଳେ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି ଚଳିତ ଡିସେମ୍ବର ୬ ତାରିଖ ବିଳମ୍ବିତ ରାତିରେ ସୀମାନ୍ତ କନକତୋରା ଗ୍ରାମର ହୃଦାନନ୍ଦ ବିଶ୍ଵାଳ (୪୮)ଙ୍କ ଘରେ ପାଞ୍ଚ ଜଣ ଦୁର୍ବୁତ୍ତ ପଶି ସଶସ୍ତ୍ର ଡକାୟତି କରିଥିଲେ । ପରିବାର ସଦସ୍ୟଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଫୋନ ସବୁ ଲୁଟିନେଇ ହାତଗୋଡ଼ ବାନ୍ଧି ଏକ କୋଠରୀ ବନ୍ଦ କରି ଦେଇଥିଲେ । ଏହି ସମୟରେ ଗୃହକର୍ତ୍ତା ହୃଦାନନ୍ଦ ସେମାନଙ୍କ କବଳରୁ ଖସିଯିବା ପାଇଁ ଚେଷ୍ଟା କରିବାରୁ ଦୁର୍ବୁତ୍ତ ମାନେ ତାଙ୍କ ପେଟରେ ଛୁରାମାଡ଼ କରିଥିଲେ । ହୃଦାନନ୍ଦ ଙ୍କ ପୁଅ ଅତିଶ ତାଙ୍କ ସହ ମୁକାବିଲା କରିବାକୁ ଯାଇ ତାଙ୍କ ହାତରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ଏହି ସମୟରେ ଘରର ଜଣେ ମହିଳା ସଦସ୍ୟା କୌଶଳ କ୍ରମେ ପଡ଼ିଶା ଘରକୁ ଫୋନ କରିଥିଲେ । ଫଳରେ ଏତେ ରାତିରେ କାହିଁକି କିଏ ଫୋନ କଲା ବୋଲି ଭାବି ସେ ଫୋନ କରିବା ସହ ଅନ୍ୟ ସାହି ପଡ଼ିଶା ଲୋକ ମାନେ ମଧ୍ୟ ଘନ ଘନ ଫୋନ କରିଥିଲେ । ଏହା ଦେଖି ଡକାୟତ ମାନେ କେଉଁଠାରୁ ଏତେ ଫୋନ ଆସୁଛି ବୋଲି ପଚାରିବାରୁ ଘରର ଉକ୍ତ ମହିଳା ସଦସ୍ୟା ଜଣକ ପୁଲିସର ଫୋନ ଆସୁଛି ବୋଲି ଉତ୍ତର ଦେଇଥିଲେ । ଏହା ଶୁଣି ଡକାୟତ ମାନେ ଜଣେ ମହିଳାଙ୍କ ବେକରୁ ଏକ ସୁନାଚେନ ଝାମ୍ପି ନେଇ ସେଠାରୁ ଫେରାର ହୋଇ ଯାଇଥିଲେ ।
ଏ ସମ୍ପର୍କରେ ରେଙ୍ଗାଲି ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁସାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପରମାର ଙ୍କ ନିର୍ଦ୍ଦେଶ କ୍ରମେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ପଡ଼ୋଶୀ ଛତିଶଗଡ଼ ସହ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ