କଣ ମୁମ୍ବାଇ ପରେ ରୋହିତଙ୍କ ହାତରୁ ଖସିଯିବ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ପଦ ?


ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୪ ଶେଷ ହେବା ମାତ୍ରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ । ଜୁନ ୪ ତାରିଖରୁ ଟି-୨୦ ବିଶ୍ୱକପ୍ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପୂର୍ବରୁ ଏମିତି ନିଷ୍ପତି ନେଇ ସଭିଙ୍କୁ ଆଚମ୍ବିତ କରିଛି, ଯାହାକୁ କେହି ଆଶା କରି ନ ଥିଲେ । ଆଇପିଏଲ୍ ନିଲାମ ୨୦୨୪ର କିଛି ଦିନ ପୂର୍ବରୁ ଯେବେ ଖେଳାଳିଙ୍କ ଟ୍ରେଡିଂ ବନ୍ଦ ହେଲା, ଏହାର ଦୁଇ ଦିନ ପରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜର ନୂତନ ଅଧିନାୟକ ନିଯୁକ୍ତ କରିଛି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପାଂଚ ଥର ଆଇପିଏଲ୍ ଟାଇଟଲ୍ ଜିତି ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏମିତି ନିଷ୍ପତି ନେବା ପରେ ଏବେ ସଭିଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ, ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିପାରେ ।

ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୨ରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ । ଦଳ ସେମି ଫାଇନାଲରେ ହାରି ବିଶ୍ୱକପରୁ ବିଦାୟ ନେଇଥିଲା । ୨୦୨୩ ଦିନିକିଆ ବିଶ୍ୱକପ୍ ଥିବାରୁ ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିଲେ । ଏମିତି ସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରିଥିଲା ବିସିସିଆଇ । ହେଲେ ବିଶ୍ୱକପ୍ ୨୦୨୩ରେ ଆହତ ହେବା ପରେ ନିକଟରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଂପନ୍ନ ଟି-୨୦ ସିରିଜ୍ ପାଇଁ ଦଳ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରିଥିଲା । ତେବେ ଏବେ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଟି-୨୦ ବିଶ୍ୱକପ୍ ୨୦୨୪ରେ ଭାରତୀୟ ଦଳର ନେତୃତ୍ୱ କିଏ ନେବେ ?

ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)ଉପରେ ମୁମ୍ବାଇ ଇଣ୍ଡିଆନ୍ସର ଏହି ନିଷ୍ପତିର କୌଣସି ପ୍ରଭାବ ପଡିବ ନାହିଁ । ଆଇସିସି ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିବ । ନିକଟରେ ନୂଆଦିଲ୍ଲୀରେ ରୋହିତ ଶର୍ମା, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ମୁଖ୍ୟ ଚୟନକର୍ତା ଅଜିତ ଅଗରକରଙ୍କ ସହ ବୈଠକ ହୋଇଥିଲା । ଏଥିରେ ରୋହିତ ଶର୍ମାଙ୍କୁ ଆଶ୍ୱାସନା ଦିଆଯାଇଛି ଯେ, ସେ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ । ଟୁର୍ଣ୍ଣାମେଂଟକୁ ଆଉ ପ୍ରାୟ ୬ ମାସ ବାକି ରହିଛି । କିନ୍ତୁ ଅଦ୍ୟାବଧି କୌଣସି ଆନୁଷ୍ଠନିକ ବୟାନ ଆସିନାହିଁ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱକପ୍ ୨୦୨୩ର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ।