ରାଉରକେଲା: ରାଉରକେଲାରେ ଝାଡାବାନ୍ତିର ପ୍ରକୋପ ସଭିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏବେ ବି ସ୍ଥିତିରେ ବିଶେଷ ପରିବର୍ତନ ଘଟିନି । ଇସ୍ପାତ ସହରରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୧୦ରେ ପହଂଚିଛି । ଏହି ଝାଡାବାନ୍ତିରେ ମୃତ୍ୟୁ ପଛର କାରଣ କଲେରା ବୋଲି ଜଣା ପଡିଛି । ପାଣି ସାମ୍ପଲରୁ କଲେରା ଜୀବାଣୁ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଝାଡାବାନ୍ତି ସ୍ଥିତିକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ନେଇଛନ୍ତି ।
ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ନେଇ ବଡ ସୂଚନା ମିଳିଛି । କେବଳ ରାଉରକେଲାରେ ଝାଡାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ୫ ଶହରୁ ଅଧିକ ଆକ୍ରାନ୍ତ ଥିବା ବେଳେ ଶତାଧିକ ଏବେ ବି ଚିକିତ୍ସାଧୀନ ଅଛନ୍ତି । ସିଏମଓ ଝାଡାବାନ୍ତି ସ୍ଥିତିକୁ ଗମ୍ଭୀରତାର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣା ପଡିଛି । ଏ ପର୍ଯ୍ୟନ୍ତ ଆରଜିଏଚରେ ଡାଇରିଆରେ ଭର୍ତ୍ତି ହେଲେଣି ୩୯୭ ରୋଗୀ। ଆଜି ୨୩ ଶିଶୁଙ୍କ ସମେତ ୧୪୯ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଆରଜିଏଚରୁ ବୁର୍ଲା ଭିମସାରକୁ ୫, ଜେପି ହସ୍ପିଟାଲକୁ ୪, ହାଇଟେକ ହସ୍ପିଟାଲକୁ ୨ ଓ ଆଇ ଜିଏଚ କୁ ଜଣେ ଡାଇରିଆ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି।