ଦେବଗଡ଼:ଦେବଗଡ ସହରର ଡେଲି ମାର୍କେଟ ଛକ ନିକଟରେ ଗତକାଲି ସଂଧ୍ୟାରେ ନିଜ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ନିଜ ଘର ସମ୍ମୁଖରୁ ଜଣେ ନାବାଳିକାକୁ କଳା ପଲସରରେ ଆସି ଦୁର୍ବୁତ୍ତମାନେ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସିସି ଟିଭି ଫୁଟେଜ ଆଧାରରେ ଏବଂ ଯାଂଚ କଡାକଡି କରି ଦେବଗଡ ଥାନା ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଆଜି ସକାଳେ ଅପ଼ହୃତା ଶିଶୁକନ୍ୟାକୁ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ଗ୍ରାମ ନିକଟସ୍ଥ ପୋଲ ଉଦ୍ଧାର କରାଯାଇଛି । ଭୋରରୁ କାମକୁ ଯାଉଥିବା ଜଣେ ମହିଳା ପିହୁ କାନ୍ଦୁଥିବାର ଦେଖିବା ପରେ ଗ୍ରାମବାସୀଙ୍କ ସହାୟତାରେ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବଡଗାଁ ପୁଲିସ ପଂହଚି ପିହୁକୁ ଉଦ୍ଧାର କରି ଦେବଗଡ ଥାନା ପୁଲିସ ସୂଚନା ଦେଇଥିଲେ । ଦେବଗଡ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ ବଡଗାଁ ଯାଇ ପିହୁକୁ ଦେବଗଡ ଆଣିଥିଲେ । ଦେବଗଡ ପଂହଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିହୁଙ୍କ ସ୍ବାସ୍ଥ୍ୟ ବସ୍ଥା ଯାଂଚ କରାଯାଇଥିଲା । ଏହାପରେ ଦେବଗଡ ଥାନା ପୁଲିସ ପିହୁଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଦୁର୍ବୁର୍ତ୍ତମାନେ ଦେବଗଡ଼ରୁ ଅପହରଣ କରି ଆଣିବା ପରେ ଭୟରେ ହେଉ କି ଅନ୍ୟ କୌଣସି କାରଣରୁ ଶିଶୁକୁ ଏଠାରେ ଛାଡିଦେଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ସିସି ଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବାବେଳେ ଖୁବଶୀଘ୍ର ଦୁର୍ବୁତ୍ତମାନଙ୍କ ଗିରଫ କରାଯିବ ବୋଲି ଦେବଗଡ ଏସପି ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ଦୁର୍ବୁତ୍ତମାନେ ଅପହରଣ କରି ନେଇଥିଲେ । ତାହା ବତ୍ତର୍ମାନ ଅସ୍ପଷ୍ଟ ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପୌରାଚଂଳର ମାର୍କେଟ ଛକରେ ରହୁଥିବା କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬) ଗତକାଲି ସଂଧ୍ୟା ସମୟରେ ନିଜ ଆଈ ସହିତ ଟିଉସନରୁ ଘରୁକୁ ଫେରୁଥିଲେ । ସେହି ସମୟରେ ଜନଗହିଳିପୂର୍ଣ୍ଣ ମାର୍କେଟ ଛକ ନିକଟରେ ୨ଜଣ ଅଜଣା ଦୁର୍ବୁତ୍ତ ପିହୁଙ୍କ ଆଈଙ୍କୁ ତାଙ୍କ ଘର ସମ୍ମୁଖରେ ଧକ୍କା ଦେଇ ପିହୁକୁ ପଲସରରେ ଆସି ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏନେଇ ପିହୁଙ୍କ ପରିବାର ଲୋକ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପିହୁକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଯାଂଚ ବ୍ୟବସ୍ଥା କଡାକଡା କରାଯାଇଥିଲା । ଗତକାଲି ଦେବଗଡ ଏସପି ଶ୍ରୀ ମିଶ୍ର ଦେବଗଡ ଆଦର୍ଶ ଥାନା ପରିସରରେ ଉପସ୍ଥିତ ରହି ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।