ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପାଇଁ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ସମସ୍ତ ରେକର୍ଡ ଭାଙ୍ଗି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କଙ୍କୁ ୩୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିବାରେ ସଫଳ ହୋଇଛି । ଏହା ସହିତ ଆଇପିଏଲ୍ ଇତିହାସରେ ମିଚେଲ୍ ସବୁଠୁ ଦାମୀ ଖେଳାଳି ହେବାର ରେକର୍ଡ କରିଛନ୍ତି । ଆଇପିଏଲ୍ ୨୦୨୩ ସୁଦ୍ଧା କୌଣସି ଖେଳାଳି ୨୦ କୋଟି ଟଙ୍କାର ମାର୍କ ଛୁଇଁ ନ ଥିଲେ । ହେଲେ ଆଇପିଏଲ୍ ୨୦୨୪ ଅକ୍ସନରେ ଦୁଇ ଖେଳାଳି ଏହାକୁ ଅତିକ୍ରମ କରିଛନ୍ତି । ଆଉ ଏହି ଦୁଇ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ।
ପାଟ୍ କନିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିବା ବେଳେ କେକେଆର ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କ୍ରୟ କରିଛି । ତେବେ ଆସନ୍ତୁ ଜାଣିବା ପ୍ରତିଟି ବଲ ଫିଙ୍ଗିବା ପାଇଁ ଷ୍ଟାର୍କଙ୍କୁ କେତେ ଫି ମିଳିବ । ପାକିସ୍ତାନ ସୁପର ଲିଗ(ପିଏସଏଲ)ରେ ସବୁଠୁ ଅଧିକ ଆୟ କରୁଥିବା ଖେଳାଳିଙ୍କ ବାର୍ଷିକ ଆୟ ଯେତେ ଷ୍ଟାର୍କଙ୍କ ଗୋଟିଏ ମ୍ୟାଚର ଫି ମଧ୍ୟ ତାଠୁ ଅଧିକ ରହିଛି ।
ଷ୍ଟାର୍କ ୨୪ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ଏହି ପରି ଯଦି ତାଙ୍କ ପ୍ରତିଟି ମ୍ୟାଚର ଫି ବାହାର କରିବା ତେବେ ପାଖାପାଖି ତାଙ୍କୁ ଏକ କୋଟି ୭୦ ଲକ୍ଷ ଟଙ୍କା ମିଳିବ । ସେହିପରି ଗୋଟିଏ ବଲ୍ ଫିଙ୍ଗିବା ପାଇଁ ତାଙ୍କୁ ମିଳିବ ୭ ଲକ୍ଷ ୩୦ ହଜାର ଟଙ୍କା । ପିଏସଏଲର ସବୁଠୁ ମହଙ୍ଗା ଖେଳାଳି, ଯାହାଙ୍କ ବର୍ଷକର ଦରମା ୧.୪ କୋଟି ରହିଛି, ସେତିକି ଅର୍ଥ ଷ୍ଟାର୍କ ଆଇପିଏଲରେ ଗୋଟିଏ ମ୍ୟାଚ୍ ଖେଳି କମାଇ ପାରିବେ ।
ଆଇପିଏଲ୍ ୨୦୨୪ ନିଲାମରେ ପାଟ୍ କମିନ୍ସଙ୍କୁ ଯେବେ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣାଗଲା, ସେତେବେଳେ ଲାଗିଲା ସେ ହିଁ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ରହିବେ । ହେଲେ କିଛି ସମୟ ପରେ ମିଚେଲ୍ ଷ୍ଟାର୍କଙ୍କ ଉପରେ ଯେଉଁଭଳି ନିଲାମ ଡାକରା ହେଲା ସଭିଙ୍କ ଆଖି ଖୋସି ହୋଇଗଲା । ମିଚେଲ୍ ଷ୍ଟାର୍କ କେକେଆର ଟିମରେ ସାମିଲ୍ ହେବା ପରେ ଫ୍ରାଂଚାଇଜ ଆଶା ରଖିଛି ଯେ, ଏଥିରେ ପାଟ୍ କମିନ୍ସଙ୍କ ଅଭାବ ପୂରଣ ହୋଇ ପାରିବ । ପାଟ୍ ଏହା ପୂର୍ବରୁ କେକେଆର ପକ୍ଷରୁ ଖେଳୁଥିଲେ । ଅନ୍ୟପଟେ ମିଚେଲ୍ ଷ୍ଟାର୍କଙ୍କ ଦୀର୍ଘ ବର୍ଷ ପରେ ଆଇପିଏଲକୁ ପ୍ରତ୍ୟାବର୍ତନ ଘଟିଛି ।