କୁଳଦେବତା ମାନି ଯାହାକୁ ବର୍ଷ ବର୍ଷ ଧରି ପୂଜା କରୁଥିଲେ ଲୋକେ, ତାହା ବାହାରିଲା ଡାଏନାସୋର ଅଣ୍ଡା


ଧାର: ମାନିଲେ ଦେବତା ନ ମାନିଲେ ପଥର । ମାତ୍ର ମଧ୍ୟପ୍ରଦେଶର ଧାର ଅଂଚଳରେ ଯାହାକୁ ଲୋକେ କୁଳଦେବତା ମାନି ପୂଜା କରୁଥିଲେ ତାହା ଅଣ୍ଡା ବୋଲି ଜଣା ପଡିଛି । କେବଳ ସେତିକି ନୁହେଁ ଏହି ଅଣ୍ଡା ଅନ୍ୟ କୌଣସି ଜୀବର ନୁହେଁ ବରଂ ଡାଏନାସୋରର । କିଛି ବୈଜ୍ଞାନିକ ଯେବେ ଏହାର ଯାଂଚ କଲେ ସତ୍ୟତା ସାମ୍ନାକୁ ଆସିଛି । ଏହା ଦେଖି ଲୋକେ ଆଚମ୍ବିତ ।

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ମଧ୍ୟପ୍ରଦେଶର ଧାର ଜିଲ୍ଲାର ପାଣ୍ଡଲୟା ଗାଁର ଭେସ୍ତା ମାଣ୍ଡଲୋଇ ସଂପ୍ରଦାୟର ଲୋକେ ଏହି ଗୋଲାକାର ପଥରକୁ କାକର ଭୈରବ ଭାବେ ପୂଜା କରି ଆସୁଥିଲେ । ସେମାନଙ୍କ ଘରେ ଏହି ପରମ୍ପରା ପୂର୍ବଜଙ୍କ ଅମଳରୁ ଚାଲି ଆସିଥିଲା । ଆଉ ବର୍ତମାନ ଯାଏ ସେମାନେ ଏହି ପରମ୍ପରାକୁ ପାଳି ଆସୁଥିଲେ । ସେମାନଙ୍କ କହିବା କଥା ଏହି କୁଳଦେବତା ଚାଷବାଡି ଓ ଗୋରୁଗାଈଙ୍କ ରକ୍ଷା କରିଥାନ୍ତି ଏବଂ ସେମାନଙ୍କୁ ସଙ୍କଟରୁ ବଂଚାଇ ଥାଆନ୍ତି ।

କାକରର ଅର୍ଥ ଖେତ ଓ ଭୈରବ ଦେବତା । ମାଣ୍ଡଲୋଇଙ୍କ ପରି ଉକ୍ତ ଗାଁର ବହୁତ ଲୋକ ଏହି ଧରଣର ଆକୃତିର ପଥରକୁ ପୂଜା କରି ଆସୁଥିଲେ । ଧାର ଓ ଆଖପାଖ ଅଂଚଳରେ ଚାଷ କାମ ସମୟରେ ଖନନ ବେଳେ ଏହି ପଥର ମିଳିଥିଲା । ତେବେ ବର୍ତମାନ ନୂତନ ତଥ୍ୟ ସାମ୍ନାକୁ ଆସିବା ପରେ ଏଠାକାର ଲୋକେ ଦ୍ୱିଧାରେ ପଡି ଯାଇଛନ୍ତି । କିଛି ଲୋକଙ୍କ କହିବା କଥା ସେମାନେ ଯାହାକୁ ଦେବତା ଭାବି ପୂଜା କରି ଆସୁଥିଲେ ସେମିତି ପୂଜା କରି ଚାଲିବେ ।

କେମିତି ହେଲା ଖୁଲାସା

ଲଖନଉର ବୀରବଲ ସାହନୀ ପୁରାବିଜ୍ଞାନ ସଂସ୍ଥାର ବୈଜ୍ଞାନିକ ନିକଟରେ ଧାର ପହଂଚିଥିଲେ । ଡାଏନାସୋରର ଇତିହାସ ଓ ମଧ୍ୟପ୍ରଦେଶର ଏହି ଅଂଚଳରେ ଅବଶେଷର ସନ୍ଧାନ ପାଇଁ ପହଂଚିଥିବା ଟିମ ଏଠାକାର ଖେତରେ ଗୋଲାକାର ବସ୍ତୁ ଦେଖିବାକୁ ପାଇଥିଲେ । ଯାହାକୁ ଏଠକାର ବାସିନ୍ଦା ପୂଜା କରି ଆସୁଛନ୍ତି । ବୈଜ୍ଞାନିକମାନେ ଯେତେବେଳେ ଏହାର ଯାଂଚ କଲେ ଜଣା ପଡିଲା ଯେ, ଏହା ପ୍ରକୃତରେ ଡାଏନାସୋରର ଅଣ୍ଡା ।

କୁହାଯାଏ ଡାଏନାସୋର ଯୁଗରେ ପୃଥିବୀରୁ ଲୁପ୍ତ ହୋଇ ସାରିଥିବା ଏହି ପ୍ରାଣୀଙ୍କର ସଂଖ୍ୟା ମଧ୍ୟପ୍ରଦେଶର ନର୍ମଦା ଘାଟିରେ ବହୁ ସଂଖ୍ୟାରେ ଥିଲା । ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଧାରରେ ୨୫୬ ଅଣ୍ଡା ମିଳିଥିଲା । ଏହାର ଆକାର ୧୫ରୁ ୧୭ ସେମି ଥିଲା । କୁହାଯାଏ ୬.୬ କୋଟି ବର୍ଷ ପୂର୍ବେ ପୃଥିବୀରେ ଡାଏନାସୋର ବାସ କରୁଥିଲେ । ଆଉ ସେତେବେଳେ ମଣିଷଙ୍କ ଉତ୍ପତି ହୋଇ ନ ଥିଲା ।