Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଡିଜେ କୋର୍ଟ ସ୍ଥାପନ ଦାବିରେ ମିଳିତ ନାଗରିକ ମଂଚର ବନ୍ଦ ପାଳନ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ଆଜି ମିଳିତ ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଇଛି l ଖଡ଼ିଆଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକ ଆଜି ସମ୍ପୂର୍ଣ ଭାବରେ ବନ୍ଦ ରହିଥିଲା l ମିଳିତ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ଏକ ରେଲିରେ ବାହାରି ସହର ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ ପରେ ଖଡ଼ିଆଳ, ବୋଡେନ ଓ ସିନାପାଲି ଅଞ୍ଚଳର ମୁଖ୍ୟ ସ୍ଥାନ ମାନଙ୍କରେ ବସି ରାସ୍ତା ଅବରୋଧ କରିଥିଲେ । ଏହି ବନ୍ଦ ଡାକରାରେ ଯାନବାହନ ଚଳାଚଳ ସମ୍ପୂର୍ଣ ଠପ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ୍ ରହିଥିଲା। ଖଡ଼ିଆଳ, ସିନାପାଲି, ବୋଡେ଼ନ ଅଞ୍ଚଳର ଲୋକମାନେ ଛୋଟରୁ ଛୋଟ କୋର୍ଟ କାମ ପାଇଁ ଦୀର୍ଘ ୧୦୦ ରୁ ୧୪୦ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡିଥାଏ l ଯାହାକି ନୂଆପଡା ଜିଲ୍ଲା ସଦର ମହୁକମା ଠାରେ ଥିବା ଏଡିଜେ କୋର୍ଟ ଯିବାକୁ ପଡିଥାଏ । ଲୋକଙ୍କୁ ଯିବା ଆସିବା ପାଇଁ ବହୁ ଦୂର ହେବା କାରଣରୁ ଗୋଟିଏ ଦିନରେ କୋର୍ଟକୁ ଯାଇ ଫେରିବା ଅସମ୍ଭବ ହୋଇଥାଏ, ଯାହାଫଳରେ ଲୋକେ ନୂଆପଡା ସଦର ମହକୁମାରେ ରାତ୍ରି ଯାପନ କରି ଖର୍ଚ୍ଚାନ୍ତରେ ପଡୁଥିବା ଅଞ୍ଚଳର ଲୋକେ ଅଭିଯୋଗ କରି ଆସୁଛନ୍ତି । ଏହି ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଖଡ଼ିଆଳ ଠାରେ ଏକ ଏଡିଜେ କୋର୍ଟ ସ୍ଥାପନ କରିବା ନେଇ ଆଜି ମିଳିତ ନାଗରିକ ମଞ୍ଚ ସକାଳ ୬ଘଣ୍ଟା ରୁ ସନ୍ଧ୍ୟା ୬ଘଣ୍ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ କରିଥିଲେ l ଲୋକଙ୍କୁ କମ ଖର୍ଚ୍ଚରେ ଦ୍ୱାରମୁହଁରେ ନ୍ୟାୟ ଯୋଗାଇ ଦେବାପାଇଁ ୨୦୧୭/୧୮ ମସିହାରୁ ମିଳିତ ଭାବରେ ଖଡ଼ିଆଳ, ସିନାପାଲି, ବୋଡେ଼ନ ଓକିଲ ସଂଘ ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ କରିବା ପାଇଁ ସରକାରଙ୍କ ପାଖରେ ଦାବୀ କରି ଆସୁଛନ୍ତି । ଏଥିପାଇଁ ମାନ୍ୟବର ହାଇକୋର୍ଟଙ୍କ ଠାରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇ ସାରିଥିବା ବେଳେ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ବୀକୃତି ପାଇଁ ଫାଇଲ ଦୀର୍ଘ ବର୍ଷରୁ ପଡିରହିଛି । ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ନ୍ୟାୟ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ,ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନରେ ଅହେତୁକ ବିଳମ୍ବ ହେଉଛି । ଅପରପକ୍ଷେ ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଏହି ବନ୍ଦ ପାଳନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ,
ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜ୍ବଳ ଗୁପ୍ତା, ବିଜେପି ନେତା ପୃଥ୍ୱୀରାଜ ମହାନ୍ତିଙ୍କ ସମେତ ଶତାଧିକ ଆଇନଜୀବୀ ଓ ବୁଦ୍ଧିଜୀବୀ ସାମିଲ ରହି ବନ୍ଦ ପାଳନକୁ ସଫଳ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ