ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏକ ମାକ୍ରୋନ ଆଗାମୀ ଗଣତନ୍ତ୍ର ଦିବସ ସମାରୋହର ହେବେ ମୁଖ୍ୟ ଅତିଥି । ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଏହା ପୂର୍ବରୁ ଭାରତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିୟନ୍ତ୍ରଣ ପଠାଇଥିଲା ମାତ୍ର ସେ ଆସିବାକୁ ଅସମର୍ଥତା ପ୍ରକାଶ କରିଥିଲେ । ଏବେ ଫ୍ରାନ୍ସର ରାଷ୍ଟ୍ରପତି ଭାରତର ସୈନ୍ୟ ଶକ୍ତିକୁ ଦେଖିବା ପାଇଁ ଅତିଥି ହୋଇ ଦିଲ୍ଲୀ ଆସିବେ । ଭାରତ ଓ ଫ୍ରାନ୍ସ ମଧ୍ୟରେ ନିକଟ ଅତୀତରେ ରଣନୈତିକ ଭାଗିଦାରୀକୁ ଖୁବ୍ ପ୍ରୋତ୍ସାହନ ମିଳିଛି । ରିପୋର୍ଟ ଅନୁଯାୟୀ, ଭାରତ ଓ ଫ୍ରାନ୍ସ ଇମାନୁଏଲ ମାକ୍ରୋନଙ୍କ ଯାତ୍ରାକୁ ନେଇ ଚୂଡାନ୍ତ ପ୍ରସ୍ତୁତି କରୁଛନ୍ତି । ସାଂପ୍ରତିକ ଭୂରାଜନୈତିକ ସ୍ଥିତିକୁ ଦେଖିଲେ ମାକ୍ରୋନଙ୍କ ଏହି ଯାତ୍ରା ବେଶ ମହତ୍ୱପୂର୍ଣ୍ଣ ରହିଛି ।
ଭାରତ ପରି ଫ୍ରାନ୍ସ ମଧ୍ୟ ନିଜର ବୈଦେଶିକ ନୀତିରେ ରଣଥୈତିକ ସ୍ୱାଧୀନତାକୁ ଅଧିକ ମହତ୍ୱ ଦେଇଥାଏ । ଅନେକ ସମୟରେ ପିଏମ ନରେନ୍ଦ୍ର ମୋଦୀ ଓ ମାକ୍ରୋନଙ୍କ ମଧ୍ୟରେ ଉତ୍ତମ ସଂପର୍କ ଦେଖିବାକୁ ମିଳିଛି । ଉଲ୍ଲେଖନୀୟ ଚଳିତ ବର୍ଷ ଫ୍ରାନ୍ସର ଜାତୀୟ ଦିବସ ବାଷ୍ଟିଲ ଡେ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତ-ଫ୍ରାନ୍ସ ମଧ୍ୟରେ ୨୫ ବର୍ଷ ଭାଗିଦାରୀର ପୂର୍ତି ଅବସରରେ ଆୟୋଜିତ ଏକ ସୈନ୍ୟ ପରେଡରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ୨୪୧ ଜଣିଆ ଭାରତୀୟ ସଶସ୍ତ୍ର ବଳ ଭାଗ ନେଇଥିଲେ । ଏହି ସମୟରେ ପିଏମ ମୋଦୀଙ୍କୁ ଫ୍ରାନ୍ସର ଲିଜନ ଅଫ ଅନର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ । ଏହା ସହିତ ପିଏମ ମୋଦୀ ଏହି ସମ୍ମାନ ପାଇବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ।
ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସ ସମାରୋହରେ ଫ୍ରାନ୍ସର ଷଷ୍ଠ ପ୍ରଧାନମନ୍ତ୍ରୀ ହିସାବରେ ମାକ୍ରୋନ ମୁଖ୍ୟ ଅତିଥି ହିସାବରେ ଯୋଗ ଦେବେ । ଶେଷ ଥର ୨୦୧୬ରେ ଫ୍ରାନ୍ସର ରାଷ୍ଟ୍ରପତି ଗଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ । ସେହି ବର୍ଷ ତତ୍କାଳୀନ ରାଷ୍ଟ୍ରପତି ଫ୍ରାନସ୍ୱା ଓଲାନ୍ଦ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ସାଜିଥିଲେ ।