ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡିସେମ୍ବର ୨୬ରୁ ଆରମ୍ଭ ହେଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ଫେରି ଆସିଛନ୍ତି । କିଛି ଦିନ ପୂର୍ବେ ସେ ଦକ୍ଷିଣ ଆଫ୍ରିକା ପହଂଚିଥିଲେ, ମାତ୍ର ଏବେ ପରିବାରର ଜରୁରୀକାଳୀନ ସ୍ଥିତି ଯୋଗୁଁ ସ୍ୱଦେଶ ଫେରିବାକୁ ପଡିଛି । ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ପାଇଁ ଏହା ଭଲ ଖବର ନୁହେଁ । ଏହା ବ୍ୟତୀତ ଓପନର ଋତୁରାଜ ଗାଏକ୍ୱାଡ ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ।
କ୍ରିକବଜର ରିପୋର୍ଟ ଅନୁସାରେ ଋତୁରାଜ ଗାଏକ୍ୱାଡ ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି । ଆଉ ବିରାଟ କୋହଲି ପରିବାର ସମସ୍ୟା କାରଣରୁ ସ୍ୱଦେଶ ଫେରିବାକୁ ପଡିଛି । ବିସିସିଆଇ ଅନୁଯାୟୀ, ଯୁବ ଗାଏକ୍ୱାଡଙ୍କ ଆଙ୍ଗୁଠିରେ ଆହତ ଲାଗିଛି । ଆହତଜନିତ ସମସ୍ୟାରୁ ଯୁବ ବ୍ୟାଟର ମୁକୁଳି ପାରି ନାହାନ୍ତି । ତେଣୁ ତାଙ୍କୁ ଟେଷ୍ଟ ସିରିଜରୁ ବାଦ୍ ଦିଆଯାଇଛି ।
ଉଲ୍ଲେଖନୀୟ ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେବ । ଏ ନେଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜୋହାନ୍ସବର୍ଗ ପହଂଚି ସାରିଛି । ଗତକାଲି ଦୁଇ ଦଳ ମଧ୍ୟରେ ଦିନିକିଆ ଶୃଙ୍ଖଳା ସଂପନ୍ନ ହୋଇଛି । ଭାରତ ସିରିଜକୁ ୨-୧ରେ ଜିତି ନେଇଛି । ସଞ୍ଜୁ ସାମସନଙ୍କ ଦମଦାର ଶତକ ବଳରେ ଭାରତ ଦିନିକିଆ ସିରିଜ୍ ଜିତିବାରେ ସଫଳ ହୋଇଛି । ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ଟି-୨୦ ସିରିଜ୍ ୧-ରେ ଡ୍ର ରହିଥିଲା ।