ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଶୀତ ଲାଗି ରହିଛି । ହାଡଭଙ୍ଗା ଶୀତରେ କଲବଲ ସାଧାରଣ ଲୋକେ । ତେବେ କିଛି ସ୍ଥାନରେ ତାପମାତ୍ରା ବଢିଛି । ରାଜ୍ୟର ୧୦ ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୮ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି । ୨୧ ତାରିଖରେ ଜି ଉଦୟଗିରିର ପାରଦ ୪.୭ ଡିଗ୍ରୀ ରହିଥିଲା । ଫୁଲବାଣୀ ଦ୍ୱିତୀୟ ଓ କିରେଇ ତୃତୀୟ ଥଣ୍ଡା ସହର ରହିଛି । ଅନ୍ୟପଟେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ଘନ କୁହୁଡି ଲାଗି ରହିବ । କିଛି ସ୍ଥାନରେ ଦୃଶ୍ୟମାନ ୨୦୦ ମିଟରରୁ କମ ରହିବ ।
ପାଣିପାଗ ବିଭାଗ ଅନୁଯାୟୀ, ଫୁଲବାଣୀରେ ୭ ଡିଗ୍ରୀ ପାରଦ ଥିବା ବେଳେ କିରେଇରେ ପାରଦ ୭.୬ ଡିଗ୍ରୀ ରହିଛି । ସେହିପରି ସିମିଳିଗୁଡା ଓ ଦାରିଙ୍ଗିବାଡିରେ ପାରଦ ୮ ଡିଗ୍ରୀ, କେନ୍ଦୁଝରରେ ୮.୮, ସୁନ୍ଦରଗଡରେ ୮୯, ଅନୁଗୁଳ ଓ ନବରଙ୍ଗପୁରରେ ୯ ଡିଗ୍ରୀ ଓ ଭବାନୀପାଟଣାରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି । ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରକୋପ ଲାଗି ରହିଛି । ପ୍ରବଳ ଜାଡରେ ଥରୁଛନ୍ତି ରାଜଧାନୀବାସୀ । ଭୁବନେଶ୍ୱରରେ ୧୪.୮ ଓ କଟକରେ ୧୪.୪ ଡିଗ୍ରୀ ଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।
ତେବେ ଘନ କୁହୁଡି ପାଇଁ ଶନିବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ରବିବାର ମଧ୍ୟ ଅନେକ ଜିଲ୍ଲାରେ ଘନକୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।