Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ

ପୁରୀ: ଆସନ୍ତା୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ ।  ଏଥିପାଇଁ ଜୋର୍‌ସୋରରେ ଚାଲିଛି ପ୍ରସ୍ତୁତି । ଅକ୍ଷୟ ତୃତୀୟା ଦିନଠୁ ୨୧ ଦିନ ଧରି ଏହି ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ୫ଟି ଡଙ୍ଗାକୁ ଭୋଇ ସେବାୟତମାନେ ପଦାକୁ ଆଣିଛନ୍ତି। ଚୈତ୍ର ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ। ମଦନମୋହନ, ଭୁଦେବୀ, ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଏଥିଲାଗି ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବାୟତ ମାନେ ସମସ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ବାହାରକୁ ଆଣିଛନ୍ତି। ଖୁବ୍‌ ଶୀଘ୍ର ମହାପ୍ରଭୁଙ୍କର ଚାପ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଵେ ସେବାୟତ।

ପୂରାଣ ଅନୁଯାୟୀ, ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯ଼ାଏ। ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ଏହାକୁ ବାହାରକୁ ଅଣାଯାଇ ମରାମତି କରାଯିବ । ଏହି ଡଙ୍ଗାରେ ନୌଯାତ୍ରା କରିବେ ମହାପ୍ରଭୁ । ଡଙ୍ଗା ବାହାରକୁ ଅଣାଯିବା ପରେ ବିଶ୍ୱକର୍ମା ଓ ଚିତ୍ରକର ସେବକମାନଙ୍କ  ସହାୟତାରେ ଡଙ୍ଗା ପ୍ରସ୍ତୁତ ହୋଇ ଠାକୁରଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ।