ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ

ସମ୍ବଲପୁର : ସ୍ଥାନୀୟ ବଡ଼ବଜାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୨୨/୧୨ ( ଶୁକ୍ରବାର ) ଓ ୨୩/୧୨ ( ଶନିବାର ) ଦୁଇଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି |
ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ବବିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ଓ ପଲ୍ଲିଶ୍ରୀକଥା ଖବରକାଗଜ ର ସମ୍ପାଦକ ଶ୍ରୀଯୁକ୍ତ ହରିଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ | ପ୍ରାରମ୍ଭରେ ମୁଖ୍ୟ ଅତିଥି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ୱାରା ମାଁ ସମଲେଶ୍ୱରୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପ ମାଲ୍ୟାର୍ପଣ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରା ଯାଇଥିଲା | ବାର୍ଷିକ କ୍ରୀଡ଼ା ଉତ୍ସବକୁ ଉଦ୍’ଘାଟନ କରି ମୁଖ୍ୟଅତିଥି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ନିଜ ଉଦ୍’ବୋଧନରେ ” ଖେଳ ଦ୍ୱାରା ଆମର ଶାରୀରିକ, ମାନସିକ ଓ ସାମାଜିକ ଉନ୍ନତି ସହ ବ୍ୟକ୍ତିତ୍ୱର ପୂର୍ଣ୍ଣାଙ୍ଗ ବିକାଶ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟା ଅଧ୍ୟୟନ ସହିତ ଖେଳ ପ୍ରତି ମଧ୍ୟ ଆଗ୍ରହୀ ହୁଅନ୍ତୁ ” ବୋଲି ପରାମର୍ଶ ଦେଇଥିଲେ |
ସମାରୋହରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ( ବଡ଼ବଜାର ) ର ଛାତ୍ରଛାତ୍ରୀ ବୃନ୍ଦ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ବୃନ୍ଦ ବିଭିନ୍ନ କ୍ରୀଡ଼ା ବିଭାଗରେ ଭାଗନେଇ କୃତିତ୍ଵର ସହିତ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁୟାରୀ ୧୨ ତାରିଖରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ସମାରୋହ ତଥା ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ ରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଂଶସା ପତ୍ର ଓ ପୁରସ୍କାର ଦେଇ ପୁରସ୍କୃତ କରାଯିବ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ବୃନ୍ଦ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ |
ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଭାରୀ ସୁଶ୍ରୀ ତୃପ୍ତି ମାଝି ଙ୍କ ପରିଚାଳନାରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସୁଚାରୁରୂପେ ସମ୍ପନ୍ନ ହୋଇଥିଲା | ଶିକ୍ଷୟିତ୍ରୀ ସୁଶ୍ରୀ ସୁଜ୍ଞାନୀ ମହାନା ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ବୃନ୍ଦ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ | ଶେଷରେ ସଂଯୋଜିକା ସୁଶ୍ରୀ ପ୍ରତିଭାରାଣୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |