Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା-ଆନ୍ଧ୍ର ସୀମାନ୍ତରେ ଦୁର୍ଘଟଣା।କଣ୍ଟେନର୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ଡ୍ରାଇଭର୍‌, ହେଲ୍ପର୍‌ଙ୍କ ସମେତ ୩ ଗୁରୁତର

ଗୋପାଳପୁର,୨୪/୧୨ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଇଚ୍ଛାପୁର ଟାଉନ୍‌ ଥାନା ପୁରୁଷୋତ୍ତମପୁର ନିକଟ ଜାତୀୟ ରାଜପଥ ରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ରେ ଯାଉଥିବା ଏକ କଣ୍ଟେନର୍‌କୁ ପଛପଟୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା। ଫଳରେ ବସ୍‌ର ଡ୍ରାଇଭର୍‌ ଏମ୍‌. କିରଣ, ହେଲ୍ପର୍‌ ଜିରେନ୍ଦ୍ର କୁମାର ସାହୁ ଓ ଜଣେ ଯାତ୍ରୀ ଏମ୍‌. ବାସୁ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଇଚ୍ଛାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି। ଶନିବାର ସଂଧ୍ୟାରେ ଭୁବନେଶ୍ବରରୁ ଶ୍ରୀ କୀର୍ତ୍ତନା ସାଇ ଟ୍ରାଭେଲସ୍‌ ନାମକ ଏକ ଯାତ୍ରୀବାହୀ ବସ୍‌(ଏପି୦୭ ଟିଇ୯୭୭୭) ବିଶାଖାପାଟଣା ଅଭିମୁଖେ ବାହାରିଥି‌ଲା। ବସ୍‌ଟି ୧୬ ନମ୍ବର ଜାତୀୟ ରାଜପଥ ଦେଇ ଓଡ଼ିଶା ସୀମା ପାର ହୋଇ ବିଳମ୍ବିତ ରାତିରେ ଆନ୍ଧ୍ରରେ ପ୍ରବେଶ କରିଥିଲା। ଇଚ୍ଛାପୁର ଥାନା ପୁରୁଷୋତ୍ତମପୁର ନିକଟରେ ବସ୍‌ଟି ସମ୍ମୁଖରେ ଯାଉଥିବା ଏକ କଣ୍ଟେନର୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କଣ୍ଟେନର୍‌ଟି ଭାରସାମ୍ୟ ହରାଇ ଏକ ଚେକପୋଷ୍ଟ୍‌ ଉପରେ ଚଢ଼ି ଯାଇଥିଲା। ସେହି ସମୟରେ ଉକ୍ତ ଚେକପୋଷ୍ଟରେ କେହି ନଥିଲେ। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର୍‌, ହେଲପର୍‌ ଓ ଜଣେ ଯାତ୍ରୀ ଗୁରୁତର ହୋଇଥିଲେ। ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରି ଅନ୍ୟ ବସ୍‌ରେ ବିଶାଖାପାଟଣା ଅଭିମୁଖେ ପଠାଯାଇଥିବା ସୂଚନା ମିଳିଛି।