ଗୋପାଳପୁର,୦୩/୦୧ ଗୋପାଳପୁର ଥାନା ଇଲାକାରେ ଦିନକୁ ଦିନ ଚୋରି ରାହାଜାନୀ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୁଲିସ ପକ୍ଷରୁ ପେଟ୍ରାଲିଂ ବ୍ୟବସ୍ଥା କଡ଼ାକଡ଼ି କରା ଯାଉନଥିବା ଅଭିଯୋଗ ହୋଇଛି। ଗୋପାଳପୁର ଥାନା ଇଲାକାରେ ଗୋପାଳପୁର ଏନ ଏ ସି ସମେତ ବକ୍ସିପଲ୍ଲି, ନାରାୟଣପୁର, କରାପଲ୍ଲୀ, କମଳାପୁର, ଗୋଳାବନ୍ଧ, ହାତୀପାଦ,ଡୁରା ଗଞ୍ଜୁ, ରଙ୍ଗେଇଲୁଣ୍ଡା,ଲୁହାଝର, କୁଶସ୍ଥଳୀ ପଞ୍ଚାୟତ ର ବିଭିନ୍ନ ଗ୍ରାମ ସମେତ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଆମ୍ବପୁଆ, ରିଜର୍ଭ ପୁଲିସ ବ୍ୟାଙ୍କ, ଗୋଳାବନ୍ଧ ଆର୍ମି ଏଡି କଲେଜ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ପାରଳା ମହାରାଜା ଇଂଜିନିୟରିଂ କଲେଜ ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି।ପ୍ରାୟ ୮୦ ହଜାର ଲୋକ ଏହି ଥାନା ଇଲାକାରେ ରହୁଥିବା ବେଳେ ଗୋପାଳପୁର ପୁଲିସ ଥାନା ପକ୍ଷରୁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି।ଏହା ସହ ଏହି ଅଞ୍ଚଳ ରେ ଗୋପାଳପୁର ଥାନା ସହ ଭଞବିହାର ପୁଲିସ ଆଉଟ୍ ପୋଷ୍ଟ ରହିଥିବା ବେଳେ ଟାଟା କଲୋନୀ ଠାରେ ଥିବା ପୁଲିସ ବିଟ ହାଉସ ଟି କର୍ମଚାରୀ ଅଭାବରୁ ଦୀର୍ଘ ମାସ ହେଲା କାର୍ଯ୍ୟକ୍ଷମ ନହୋଇ ପଡ଼ି ରହିଛି।ଏହ ସବୁ କାରଣରୁ ଗତ କିଛି ମାସ ହେବ ଅଞ୍ଚଳର ବିଭିନ୍ନ ସ୍ଥାନ ରେ ଚୋରି ବଢିବା ସହ ରାହାଜାନୀ ପରି ମାମଲା ଥାନାରେ ଋଜୁ ହେଉଥିଲେ ମଧ୍ୟ ପୁଲିସ କୌଣସି ଗୋଟିଏ ହେଲେ ମାମଲା ର ସମାଧାନ କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି।ଗତ ଦୁଇ ଦିନ ତଳେ ଶୀତଳାପଲ୍ଲୀ ଠାରେ ପାରଳା ମହାରାଜା ଇଂଜିନିୟରିଂ କଲେଜ ରେ ଅଧ୍ୟୟନ କରୁଥିବା କିଛି ଛାତ୍ର ପ୍ରାୟ ଅପରାହ୍ନ ୩ ଟା ବେଳେ କଲେଜ ରୁ ବାହାରି ଟାଟା କଲୋନୀ ଛକ ଆଡେ ଚାଲି ଚାଲି ଆସୁଥିବାବେଳେ ଟାଟା ମେଡିକୋ ହସ୍ପିଟାଲ ସମ୍ମୁଖ ରାସ୍ତା ରେ କିଛି ଅସମାଜିକ ଯୁବକ ହାତରେ ଛୁରୀ ଧରି ଛାତ୍ରମାନଙ୍କୁ ଭୟଭୀତ କରାଇ ଲୁଟ କରିଥିବା ଅଭିଯୋଗ ହୋଇଛି।ଘଟଣା ପରେ ଛାତ୍ର ମାନେ ଏତେ ଭୟଭୀତ ହୋଇ ଯାଇଛନ୍ତି ଯେ ସେମାନେ ଘଟଣା ନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ କରିବାକୁ ସାହସ କରୁ ପାରୁନଥିବା ଜଣାପଡିଛି।ଏହା ସହ ଗତ ୬ ମାସ ମଧ୍ୟରେ କରାପଲ୍ଲୀ ସମେତ ଡୁରା,ଆମ୍ବପୁଆ,ବଡକୁଶସ୍ଥଳୀ,ମାଣ୍ଡିଆପଲ୍ଲୀ, ରଙ୍ଗେଇଲୁଣ୍ଡା ବକ୍ସିପଲ୍ଲି ପ୍ରଭୃତି ସ୍ଥାନରେ ବନ୍ଦ ଘରୁ ଚୋରି ହୋଇଥିବା ବେଳେ ଏନେଇ ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୁଲିସ ଚୋର ଧରିବା କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଥାନା ରୁ ମିଳିଥିବା ତଥ୍ୟ ଅନୁଯାଇ
ଗତ ନଭେମ୍ବର ମାସ ୭ ତାରିଖରେ ସାନ କୁଶସ୍ଥଳୀର ସୁକାନ୍ତ କୁମାର ସାହୁ ଙ୍କ ଘରୁ ସୁନା ୬ ତୋଳା ଓ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିଲା, ନଭେମ୍ବର ୨୮ ତାରିଖରେ ସତ୍ୟନାରାୟଣ ଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରୁ ଗ୍ୟାସ୍ ଚୁଲି, ହାଣ୍ଡି ସହ ପିଲାଙ୍କ ଖେଳ ସାମଗ୍ରୀ ଚୋରି,ନୂଆ ବକ୍ସିପଲ୍ଲି ର ପ୍ରଦିପ ସେଠୀ ଙ୍କ ତାଲାବନ୍ଦ ଘରୁ ଚୋରି ମାନେ ବିଭିନ୍ନ ସାମଗ୍ରୀ ଚୋରି କରିବା ପରେ ଘରେ ନିଆଁ ଲଗାଇ ଚାଲି ଯାଇଥିଲେ, ଯାହାଫଳରେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କା ର ସାମଗ୍ରୀ ନଷ୍ଟ ହୋଇ ଯାଇଥିଲା। ବଡକୁଶସ୍ଥଳୀ ର ଶଙ୍କର ଜେନା ଙ୍କ ଘରୁ ଚୋରି ମାନେ ୧୦ ତୋଳା ସୁନା ଅଳଙ୍କାର ସହ ୫ ତୋଳା ରୂପା ଓ ନଗଦ ଏକଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ସେହି ପରି ଗତ ଜାନୁଆରୀ ୧ ତାରିଖରେ ମାଣ୍ଡିଆପଲ୍ଲୀ ପ୍ରେମ ଅଫିସ କଡ଼ରେ ରହୁଥିବା ସୁଶାନ୍ତ କୁମାର ପଟ୍ଟନାୟକ ଙ୍କ ଘରୁ ପ୍ରାୟ ୧୨ ଲକ୍ଷ ଟଙ୍କା ର ସୁନା ଓ ରୁପା ଅଳଙ୍କାର ଚୋରୀ ଯାଇଥିବା ବେଳେ ନୂଆବକ୍ସପଲି ଅଞ୍ଚଳରୁ ମଧ୍ୟ ଅନୁରୂପ ଭାବେ ଚୋରି ହୋଇଥିବା ଅଭିଯୋଗ ରହିଛି।ଅନ୍ୟ ପଟେ ରାତିରେ ଠିକ ଭାବେ ପୁଲିସ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଉନଥିବାରୁ ଏପରି ଅବସ୍ଥା ଉପୁଜିଥିବା ଅଞ୍ଚଳ ବାସୀ ଜଣାଇଛନ୍ତି। ଗୋପାଳପୁର ଥାନା ପକ୍ଷରୁ ଡୁରା ଓଭରବ୍ରିଜ , କରାପଲ୍ଲୀ ଛକ ସମେତ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଟ୍ରାଫିକ ବ୍ୟବସ୍ଥା ସହ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସନ୍ଧ୍ୟା ସମୟରେ ପୁଲିସ କନେଷ୍ଟବଳ ନିୟୋଜିତ ରହୁଥିବା ବେଳେ ଏବେ କିଛିଦିନ ହେଲା ଜନଗହଳି ପୁର୍ଣ୍ଣ ତଥା ଟ୍ରାଫିକ ସମସ୍ୟା ରହୁଥିବା ଅଞ୍ଚଳରେ କନେଷ୍ଟବଳ ଡ୍ୟୁଟି ରେ ନିୟୋଜିତ ରହୁଥିବା ଦେଖିବାକୁ ମିଳିଛି। ଗୋପାଳପୁର ଥାନା ରେ ପ୍ରାୟ ୩୫ ଜଣ ଗୃହରକ୍ଷୀ ନିୟୋଜିତ ରହିଥିବା ବେଳେ ରାତି ସମୟରେ କେବଳ ୬ ଗୃହରକ୍ଷୀ ହିଁ ରାତ୍ରୀକାଳୀନ ଡ୍ୟୁଟି ରେ ନିୟୋଜିତ ରହୁଥିବା ବେଳେ ଅନ୍ୟ ମାନେ ପୁଲିସ ଗେଷ୍ଟ ହାଉସ ସମେତ ବିଭିନ୍ନ ଅଧିକାରୀ ଙ୍କ ଘରେ ନିୟୋଜିତ ରହିଥିବା ଜଣାପଡିଛି। ଏଣୁ ପୁଲିସ ପକ୍ଷରୁ ଅଞ୍ଚଳରେ କଡ଼ାକଡ଼ି ପେଟ୍ରୋଲିଂ କରିବାକୁ ସାଧାରଣ ରେ ଦାବି ହେଉଛି।