ଲୋୟର ସୁକତେଲର ଉଦଘାଟନ ସଭାରେ ରାଜ୍ୟ ସରକାରଙ୍କୁ ଧୋଇଲେ ନରସିଂହ, କହିଲେ- ବିନା ପାଣିରେ କେବେ କଣ ଉଦଘାଟନ ହୁଏ


ଭୁୁବନେଶ୍ୱର: ଦୀର୍ଘ ୨୩ ବର୍ଷର ଅପେକ୍ଷା ପରେ ବଲାଙ୍ଗିରରେ ଲୋୟର ସୁକତେଲ ପ୍ରକଳ୍ପ ଜାନୁଆରୀ ୩ ତାରିଖରେ ଉଦଘାଟିତ ହୋଇଛି । ତେବେ ଉଦଘାଟନୀ ସମାରୋହରେ ବଲାଙ୍ଗିରର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହମିଶ୍ର ଶାଣିତ ଶବ୍ଦରେ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ସହ ତାତ୍ସଲ୍ୟ କରିଛନ୍ତି । ସେ ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ । ନରସିଂହଙ୍କ ତୀର୍ଯ୍ୟକ ବାଣକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ବି ତୋଫାନ ସୃଷ୍ଟି ହୋଇଛି । ବିନା ପାଣିରେ କେବେ କେଉଁ ଡ୍ୟାମର ଉଦଘାଟନ କରାଯାଏ ବୋଲି ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ନରସିଂହ କହିଛନ୍ତି ଆମେ ଜାଣିଛୁ ଯେଉଁଠି ଡ୍ୟାମର ଉଦଘାଟନ କରାଯାଏ ସେଠାରେ ସୁଇଚ୍ ଚିପାଯାଏ ଏବଂ ଜଳ ନିଷ୍କାସନ ହୁଏ । କିନ୍ତୁ ଏ ସମୟରେ ଉଦଘାଟନ କରାଯାଉଛି, ଯେଉଁଠି ଡ୍ୟାମରେ ପାଣି ନାହିଁ । ଯେଉଁମାନେ ବଡ ବଡ ଭାଷଣ ଦେଉଛନ୍ତି ନାରା ଦେଉଛନ୍ତି ସେମାନେ କହି ପାରିବେ କି ଆଜି ଡ୍ୟାମରୁ ପାଣି ବାହାରିବ ଏବଂ ଆମେ ଦେଖିକି ଯିବୁ । ଯଦି ସେମାନେ ଗେଟ୍ ଖୋଲି ଜଳ ନିଷ୍କାସନ କରି ପାରିବେ ମୁଁ ସେମାନଙ୍କୁ ଧନ୍ୟବାଦ ଦେବି । ଯଦି ପାଣି ବାହାର ନ କରି ପାରିବେ ସେମାନଙ୍କ ମୁହଁରେ କଳା ବୋଳି ଏଠାରୁ ପଠାଇବି । ଯେଉଁ ଡ୍ୟାମର ପାଣି ନ ଥାଏ ସେ ଡ୍ୟାମରେ ଆମେ କାହାକୁ ଉଦଘାଟନ କରିବା । ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଏହା ମଧ୍ୟ କହିଛନ୍ତି, କୌଣସି କାମ ଭଡାଟିଆ ଲୋକଙ୍କୁ ଜମା କରି କରି ହୁଏ ନାହିଁ । ସେମାନେ ଖାଲି ଭଡାରେ ଆସିବେ, ସେମାନଙ୍କର କୌଣସି କାମ ନାହିଁ ।

ସେ କହିଛନ୍ତି ବଲାଙ୍ଗିର ପରି ମରୁଡି ପ୍ରପୀଡିତ ଜିଲ୍ଲାର ଲୋକେ ଏବେ ପାଣି ପାଇ ପାରିବେ । ସୁକତେଲ ନଦୀ ବଲାଙ୍ଗିରବାସୀଙ୍କ ପାଇଁ ଜୀବନରେଖା । ମୁଁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ବେଳେ ସେ ସମୟରେ ଏକ ସର୍ଭେ ହୋଇଥିଲା । ମାତ୍ର ୩ ଭାଗ ଜମିକୁ ଜଳସେଚନ ହେଉଥିଲା । ଏବେ ସୁକତେଲ ପ୍ରକଳ୍ପ ଫଳରେ ବର୍ତମାନ ଆମେ ଅଧିକରୁ ଅଧିକ ଜମିରେ ଜଳସେଚନ କରି ପାରିବା । ୨୦୦୬ ମସିହାରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ, ପ୍ରତି ବ୍ଲକରେ ୩୫ ପ୍ରତିଶତ ଜମି ଜଳସେଚନ ହେବ । ଏହି ହିସାବରେ ୨୦୧୧ ସୁଦ୍ଧା ଏହି ଜଳସେଚନ କାମ ସରିଯିବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ଜଳସେଚନ ହୋଇ ପାରିନାହିଁ । ୨୦୦୮ରେ ବିଧାନସଭାରେ ଘୋଷଣା ହୋଇଥିଲା ଯେ, ଯେଉଁ ଗାଁରେ ୩୫ ପ୍ରତିଶତ ଭାଗ ଜମି ଜଳସେଚନ ନାହିଁ ସେ ଜାଗାକୁ ୫ ଲକ୍ଷ ଟଙ୍କା ଦିଆଯିବ । ହେଲେ ଏବେ ଯାଏ କାହାକୁ ଟଙ୍କାଟିଏ ବି ମିଳିନାହିଁ । ଏହା ତଥ୍ୟ କହୁଛି । ମୁଁ ଯେଉଁ ଦିନଠୁ ରାଜନୀତିରେ ପ୍ରବେଶ କଲି ସେହି ଦିନଠୁ ଲୋୟର ସୁକତେଲ ପ୍ରକଳ୍ପକୁ ସମର୍ଥନ କରି ଆସିଛି । ସମର୍ଥନ କରିଥିଲି ବୋଲି ସେ ଅଂଚଳର ଲୋକେ ରାଗରେ ମୋତେ ଭୋଟ୍ ଦେଇ ନ ଥିଲେ । ତଥାପି ମୁଁ ସେଥିରେ ନ ଦବି ଗାଁକୁ ଗାଁ ଯାଇ ଲୋକଙ୍କୁ ପ୍ରକଳ୍ପ ବିଷୟରେ ବୁଝାଇଥିଲି । ପ୍ରଥମେ ପ୍ରଥମେ କେହି ମୋ କଥା ଶୁଣି ନ ଥିଲେ । କିନ୍ତୁ ଧିରେ ଧିରେ ସମସ୍ତେ ଶୁଣିଲେ ଏବଂ ଏହାକୁ ବୁଝି ପାରିଲେ । ଆଜି ଲୋକେ ବୁଝି ଥିବାରୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଯାଉଛି ।

ନରସିଂହ କହିଛନ୍ତି ଏହା କହିବାରେ ମୋର କୌଣସି ଦ୍ୱିଧା ନାହିଁ ଯେ ବର୍ତମାନ ଯିଏ ବଲାଙ୍ଗିରର ଜିଲ୍ଲାପାଳ ଅଛନ୍ତି, ସେ ମଧ୍ୟ ଏହି ପ୍ରକଳ୍ପରେ ବହୁତ ସହଯୋଗ କରିଛନ୍ତି । ସେ ଲୋକଙ୍କ ପାଖକୁ ଯାଇଥିଲେ ଲୋକଙ୍କୁ ବୁଝାଇଥିଲେ । ତାଙ୍କ କଥାରେ ବିଶ୍ୱାସ କରି ଲୋକେ ବୁଝି ଯାଇଥିଲେ । ନଚେତ୍ ଏହି ପ୍ରକଳ୍ପ ସଫଳ ହୋଇ ପାରି ନ ଥାନ୍ତା । କେବଳ ମୁଁ ଯାଉ ନ ଥିଲି ଜିଲ୍ଲପାଳ ମଧ୍ୟ ଯାଇ ଲୋକଙ୍କୁ ବୁଝାଉଥିଲା । କିନ୍ତୁ ସବୁ ଚେଷ୍ଟା ସତ୍ୱେ ପ୍ରଶାସନର ଉଦାସୀନତା ପାଇଁ ଯେଉଁମାନେ ବିସ୍ଥାପିତ ହୋଇଛନ୍ତି ସେମାନେ ଏ ଯାଏ ଠିକରେ ସରକାରୀ ସୁବିଧା ପାଇ ପାରି ନାହାନ୍ତି । ଜିଲ୍ଲାପାଳ ଏ ସମସ୍ୟାର ସମାଧାନ ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି । ଆଜି ମଧ୍ୟ ଅନେକ ଲୋକ ନିଜର କ୍ଷତିପୂରଣ ପାଇ ପାରି ନାହାନ୍ତି । ସେମାନଙ୍କ ନିକଟକୁ ଆମକୁ ପହଂଚିବାକୁ ପଡିବ । ଆଜି ଉଦଘାଟନ ହୋଇଗଲା ବୋଲି ଯଦି ଆମେ ଭାବିବା ଆମର କାମ ସରିଗଲା ତେବେ ସେହି ବିସ୍ଥାପିତ ଲୋକେ ବହୁତ ହଇରାଣ ହେବେ । ହୀରାକୁଦ ବିସ୍ଥାପିତମାନେ ଯେମିତି ଆଜି ଯାଏ କ୍ଷତିପୂରଣ ପାଇ ନାହାନ୍ତି ଠିକ୍ ସେହିପରି ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତ ମଧ୍ୟ କ୍ଷତିପୂରଣ ପାଇ ପାରିବେ ନାହିଁ । ମୁଁ ଆଶା କରୁଛି ମୁଖ୍ୟମନ୍ତ୍ରୀ ଏ ସଭାରେ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ, ସେମାନେ ପ୍ରତ୍ୟେକ ବିସ୍ଥାପିତଙ୍କ ସମସ୍ୟା ଶୁଣିବେ।

ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଅଛି ଆଉ ରହିଥିବି । ମରିବା ପର୍ଯ୍ୟନ୍ତ ବୁଡି ଅଂଚଳବାସୀ ଏବଂ ବିସ୍ଥାପିତଙ୍କ ସହ ରହିବି । ସରକାରଙ୍କ ସହଯୋଗ ଜରିଆରେ ସେମାନଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ କରାଯିବ । ବିଳମ୍ବ ହେଲେ ମଧ୍ୟ ସେମାନଙ୍କର ସବୁ କଥା ବୁଝାଯିବ। ଯଦି ଆଜି ଲୋୟର ସୁକତେଲ ପ୍ରକଳ୍ପ ସଫଳ ହୋଇଛି ତାର ଶ୍ରେୟ ବୁଡିଅଂଚଳର ଲୋକଙ୍କୁ ଯିବ । ସେମାନେ ନିଜର ଭିଟାମାଟି ଛାଡିଥିବାରୁ ଆଜି ଏ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ଆଜି ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଉଛି ସେମାନଙ୍କର ଯାହା ସମସ୍ୟା ଅଛି ତାହା ସମୟକ୍ରମେ ସବୁ ପୂରଣ କରାଯିବ ।