ମହମ୍ମଦ ଶାମିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ସମ୍ମାନିତ


ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଦେଶର ୫୮ତମ କ୍ରିକେଟର ହିସାବରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ମଙ୍ଗଳବାର ଜାନୁଆରୀ ୯ ତାରିଖରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶାମିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଶାମିଙ୍କ ବ୍ୟତୀତ ଦେଶର ଅନ୍ୟ ବିଭାଗର ୨୫ ଖେଳାଳିଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିଛି । ମହମ୍ମଦ ଶାମି ବିଗତ ବର୍ଷମାନଙ୍କରେ ଦମଦାର ପ୍ରଦର୍ଶନ କରି ଆସିଛନ୍ତି । ସେ ୨୦୨୩ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇ ପାରିଥିଲେ ।

ଶାମି ୫୮ତମ କ୍ରିକେଟର ଯାହାଙ୍କୁ ଅର୍ଜୁନ ପୁରସ୍କାର ମିଳିଛି । ଏଥିରେ ୧୨ ମହିଳା କ୍ରିକେଟର ମଧ୍ୟ ସାମିଲ । ତାଙ୍କ ପୂର୍ବରୁ ମହାନ କ୍ରିକେଟର ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନଙ୍କ ସମେତ ଅନେକ ଖେଳାଳିଙ୍କୁ ଏହି ସମ୍ମାନ ମିଳିଛି । ୨୦୨୧ରେ ଶେଷ ଥର କୌଣସି କ୍ରିକେଟର ଭାବେ ଶିଖରଙ୍କୁ ଏହି ସମ୍ମାନ ମିଳିଥିଲା । ୨୦୨୨ରେ କୌଣସି କ୍ରିକେଟର ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇ ନ ଥିଲେ । ଏବେ ଶାମିଙ୍କୁ ଏହି ସମ୍ମାନ ମିଳିଛି ।

ଉଲ୍ଲେଖନୀୟ ଜାତୀୟ କ୍ରୀଡା ପୁରସ୍କାର ସମାରୋହ ପାଇଁ ଦିଲ୍ଲୀ ପହଂଚିଥିବା ମହମ୍ମଦ ଶାମିଙ୍କୁ ଯେତେବେଳେ ଅର୍ଜୁନ ପୁରସ୍କାର ନେଇ ଏଏନଆଇ ପ୍ରଶ୍ନ କଲା, ଉତରରେ ଭାରତୀୟ ବୋଲର କହିଛନ୍ତି ଏକ ସ୍ୱପ୍ନ ସତ ହେବାକୁ ଯାଉଛି । ଏହି ପୁରସ୍କାର ମୋ ପାଇଁ ଏକ ସ୍ୱପ୍ନ ପରି । ଜୀବନ ବିତିଯାଏ ମାତ୍ର ଲୋକେ ଏହି ପୁରସ୍କାର ଜିତି ପାରନ୍ତି ନାହିଁ । ମୁଁ ବହୁତ ଖୁସି ଯେ, ମୋତେ ଏହି ପୁରସ୍କାର ମିଳୁଛି ।