ଆଫଗାନିସ୍ତାନ ସିରିଜ୍ ପରେ ଘରୋଇ ସିଜିନରୁ ସୂର୍ଯ୍ୟକୁମାର ବାଦ୍‌, ଆଇପିଏଲ୍ ଖେଳିବା ଆଶଙ୍କା


ନୂଆଦିଲ୍ଲୀ: ଭାରତର କ୍ରିକେଟ ଦଳର ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସଂପ୍ରତି ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଫଳରେ ସେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କର ସ୍ପୋର୍ଟ୍ସ ହାର୍ନିଆ ହୋଇଥିବା ଜଣାପଡ଼ିଛି । ସେ ଖୁବଶୀଘ୍ର ଜର୍ମାନୀରେ ଅସ୍ତ୍ରୋପଚାର କରାଇବାକୁ ଯୋଜନା କରୁଥିବା ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଫଳରେ ସୂର୍ଯ୍ୟକୁମାର ଚଳିତ ରଣଜୀ ସିଜିନରୁ ପଡ଼ିବା ନିଶ୍ଚିତ ହୋଇଯାଇଛି । ଏପରିକି ଆଇପିଏଲ୍‌ର କିଛି ମ୍ୟାଚ୍‌ରୁ ବାଦ୍ ପଡ଼ିବା ଆଶଙ୍କା ରହିଛି । ଏମିତି ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା ଲାଗିପାରେ ।

ବିସିସିଆଇର ଜୈନକ ଅଧିକାରୀଙ୍କ ଅନୁଯାୟୀ, ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ସୂର୍ଯ୍ୟକୁମାରଙ୍କ ଗୋଇଠି ସମସ୍ୟାର ଚିକିତ୍ସା ଚାଲିଛି । ଆଉ ୨/୩ ଦିନ ମଧ୍ୟରେ ଜର୍ମାନୀର ମ୍ୟୁନିକ ଯାତ୍ରା କରିବେ । ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯିବ । ତେଣୁ ସେ ଚଳିତ ସିଜନରେ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳିବାରୁ ବଞ୍ଚିତ ହେବେ । ଏପରିକି ଆଇପିଏଲର ପ୍ରାରମ୍ଭିକ ମ୍ୟାଚରୁ ବି ବାଦ୍ ପଡି ପାରନ୍ତି ।

ଗତ ଦକ୍ଷିଣ ଆଫ୍ରିକା ଗସ୍ତରେ ସୂର୍ଯ୍ୟକୁମାରଙ୍କ ପାଦ ଗୋଇଠିରେ ଆଘାତ ଲାଗିଥିଲା । ଫଳରେ ଆଫଗାନିସ୍ତାନ ବିପକ୍ଷ ଘରୋଇ ଟି-ଟ୍ୱେଣ୍ଟି ସିରିଜ ପାଇଁ ଘୋଷିତ ସେ ବାଦ୍ ପଡିଛନ୍ତି । ସୂର୍ଯ୍ୟକୁମାର ନିକଟରେ ସଂପନ୍ନ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେଇଥିଲେ । ସେ ଶତକୀୟ ଇନିଂସ ବି ଖେଳିଥିଲେ ।