ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଏସିଡ ମାଡ଼ରେ ଉଭୟ ପକ୍ଷର ପାଞ୍ଚ ଜଣ ଆହତ


ଖଡ଼ିଆଳ : ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗ୍ରାମରେ ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ବେଳେ ଏସିଡ ମାଡ଼ରେ ଉଭୟ ପକ୍ଷର ପାଞ୍ଚ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଖଡ଼ିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ ସ୍ବାସ୍ଥ୍ୟ କେନ୍ଦ୍ର ନୂଆପଡ଼ାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାର ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତ। ଆହତ ମାନେ ହେଲେ ଗୋଟିଏ ଗୋଷ୍ଠୀର ମନିଜର ସରାଫ ଓ ତାଙ୍କ ଦୁଇ ପୁଅ ବିଜୟ ଓ ଧନଞ୍ଜୟ। ବିଜୟ ଓ ଧନଞ୍ଜୟଙ୍କୁ ରେଫର୍ କରାଯାଇଛି।
ଅନ୍ୟ ଗୋଷ୍ଠୀର ଘନଶ୍ୟାମ ସରାଫ ଓ ତାଙ୍କ ସ୍ତ୍ରୀ ସନ୍ତୋଷୀ ସରାଫ। ଉଭୟ ପରିବାର ସ୍ୱର୍ଣକାର ଜାତିର ଓ ସୁନା ଅଳଙ୍କାର ତିଆରି କରନ୍ତି। ଅନ୍ୟ ଏକ ଗ୍ରାମରେ ସୁନା ଅଳଙ୍କାର ନିର୍ମାଣ ଦୋକାନକୁ ନେଇ ଏହି ଦୁଇ ପରିବାର ମଧ୍ୟରେ ଝଗଡ଼ା ଚାଲି ଆସୁଥିଲା। ଆଜି କାମକୁ ବାହାରି ଥିବା ବେଳେ ଡୁଆଝର ନଦୀ ପାଖରେ କଥା କଟାକଟି ପରେ ଝଗଡ଼ା ହୋଇଥିଲା ଓ ପରସ୍ପର ଉପରକୁ ଏସିଡ ଫିଙ୍ଗିଥିଲେ। ପରିବାର ଲୋକେ ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମୁଖ୍ୟ ଚିକିତ୍ସା କେନ୍ଦ୍ର ନୂଆପଡ଼ାକୁ ରେଫର କରାଯାଇଛି। ଖଡ଼ିଆଳ ପୋଲିସ ଖବର ପାଇ ଘଟଣାର ତଦନ୍ତ ଚଳାଇଥିବା ନେ଼ଇ ସୂଚନା ଦେଇଛନ୍ତି।