ଇନ୍ଦୋର ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଓହ୍ଲାଇବ ଭାରତ, ଫେରିବେ କୋହଲି; ଏହି ଖେଳାଳିଙ୍କ ଉପରେ ରହିବ ନଜର


ମୁମ୍ବାଇ: ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚରେ ତାରକା ବ୍ୟାଟର ବିରାଟ କୋହଲିଙ୍କ ଚୂଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତନ ଘଟିବ । ପ୍ରଥମ ମ୍ୟାଚକୁ ଭାରତ ୬ ୱିକେଟରେ ଜିତି ସିରିଜରେ ଓ-୦ରେ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବେ । କାରଣ ଟି-୨୦ ବିଶ୍ୱକପକୁ ଆଉ କେଇଟା ମାସ ବାକି ରହିଛି । ସବୁ ଖେଳାଳିଙ୍କ ନଜର ଟି-୨୦ ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ଉପରେ ରହିଛି ।

ଭାରତୀୟ ଦଳ ପାଇଁ ଜୁନରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଆଫଗାନିସ୍ତାନ ସିରିଜ୍ ହିଁ ଏକମାତ୍ର ସିରିଜ୍ ରହିଛି । ତେଣୁ ଏହି ସିରିଜରେ ଖେଲାଳିମାନେ ମିଳିଥିବା ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିବେ । ଜିତେଶ ଶର୍ମା ଇଶାନ କିଶନଙ୍କୁ ପଛରେ ପକାଇ ୱିକେଟ୍ କିପର ଭାବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ନିମ୍ନ ମଧ୍ୟକ୍ରମରେ କିଛି ଉପଯୋଗୀ ଇନିଂସ ଖେଳିଛନ୍ତି । ତେଣୁ ସେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ବଡ ଇନିଂସ ଖେଳି ଦଳରେ ନିଜର ଦାବିଦାର ଅଧିକ କରିବାକୁ ଚେଷ୍ଟା କରିବେ ।

ତିଳକ ବର୍ମାଙ୍କ ପାଇଁ ମଧ୍ୟ ଦ୍ୱିତୀୟ ମ୍ୟାଚ୍ ଶେଷ ସୁଯୋଗ ପରି ରହିଛି । କାରଣ ସେ ଗତ ୧୩ଟି ଟି-୨୦ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ୨୧ ବର୍ଷୀୟ ବ୍ୟାଟରଙ୍କ ପାଇଁ ଏହି ପ୍ରଦର୍ଶନ ପର୍ଯ୍ୟାପ୍ତ ନାହିଁ । ତେଣୁ ତାଙ୍କୁ ଦଳରେ ନିଜର ସ୍ତାନ ସୁରକ୍ଷିତ ରଖିବାକୁ ହେଲେ ବଡ ଇନିଂସ ଖେଳିବାକୁ ପଡିବ । ତେବେ ଦେଖିବାକୁ ପଡିବ ଯେ, ରବିବାର ଖେଳାଯିବାକୁ ଥିବା ମୁକାବିଲାରେ ତାଙ୍କୁ ସ୍ଥାନ ମିଳିବ କି ନାହିଁ । ବିରାଟ କୋହଲିଙ୍କ ମଧ୍ୟ ଦଳରେ ପ୍ରତ୍ୟାବର୍ତନ ଘଟିବାକୁ ଯାଉଛି ।

ସେହିପରି ଅକ୍ଷର ପଟେଲ୍ ଓ ୱାଶିଂଟନ ସୁନ୍ଦରଙ୍କ ଉପରେ ମଧ୍ୟ ସମାନ ଚାପ ରହିଛି । କାରଣ ଅକ୍ଷର ପଟେଲ ଆହତ କାରଣରୁ ଦିନିକିଆ ବିଶ୍ୱକପ୍ ଖେଳି ପାରି ନ ଥିଲେ । ଏବେ ସେ ଟେଷ୍ଟ କ୍ରିକେଟ୍ ପାଇଁ ନିଜକୁ ପ୍ରସ୍ତୁତି କରୁଛନ୍ତି । ତେବେ ସୀମିତ ଓଭର କ୍ରିକେଟ୍ ପାଇଁ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ୱାଶିଂଟନ ପ୍ରଥମ ମ୍ୟାଚରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲେ । ତେଣୁ ଦ୍ୱିତୀୟ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଉପରେ ଚୟନକର୍ତାଙ୍କ ନଜର ରହିବ ।