ବିବେକାନନ୍ଦ ଜୟନ୍ତୀରେ ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ଗୁରୁଜୀ


ବେଲଗୁଣ୍ଠା, 13/01, ଆଜି ବିବେକାନନ୍ଦ ଜୟନ୍ତୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ଯୁବ ଗୁରୁଜୀ ମିଥୁନ୍ ନାୟକ ରକ୍ତଦାନ କରି ଜଣେ ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଶ୍ରୀକରପୁର ଗ୍ରାମର ଅଶୋକ ଗୌଡ଼ଙ୍କ ଗର୍ଭବତୀ ସ୍ତ୍ରୀ ଲକ୍ଷ୍ମୀ ଗୌଡ଼ (37) ସନ୍ତାନ ପ୍ରସବ କରିବା ନିମନ୍ତେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ ରେ ଭର୍ତ୍ତି ହୋଇଥିଲେ I ସେଠାରେ ତାଙ୍କୁ ଏ ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା I କିନ୍ତୁ ଭଞ୍ଜନଗର ରକ୍ତ ଭଣ୍ଡାରରେ ଏ ପଜିଟିଭ୍ ବର୍ଗର ରକ୍ତ ନଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ I ଏହି ଖବର ବେଲଗୁଣ୍ଠା ଡ଼୍ରାଇଭର୍ ମହାସଂଘ ସଦସ୍ୟ ଶ୍ୟାମ ସୁନ୍ଦର ଗୌଡ଼ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ଗୁରୁଜୀ ମିଥୁନ୍ ନାୟକଙ୍କୁ ଜଣାଇଥିଲେ I ବିବେକାନନ୍ଦ ଜୟନ୍ତୀ ପରି ପବିତ୍ର ଦିବସରେ ଉତ୍ସାହୀ ଯୁବକ ମିଥୁନ୍ ରକ୍ତଦାନ ଭଳି ମହତ୍ ସେବାର ହାତଛଡ଼ା କରିବାକୁ ଚାହୁଁ ନଥିଲେ I ସେ ତୁରନ୍ତ ଭଞ୍ଜନଗର ରକ୍ତଭଣ୍ଡାରକୁ ଯାଇ ଲକ୍ଷ୍ମୀଙ୍କ ନିମନ୍ତେ ରକ୍ତଦାନ କରି ତାଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲେ I ମିଥୁନ୍ ଆଜି ଅଷ୍ଟମ ଥର ପାଇଁ ରକ୍ତଦାନ କରିଥିଲେ I ମିଥୁନ୍ ଙ୍କର ଏହିଭଳି କାର୍ଯ୍ୟକୁ
ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ସଭାପତି ନୀଳମଣି ବିଷୋୟୀ, ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I