ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟା ଯାତ୍ରା ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି । କଂଗ୍ରେସ ନେତା ମିଲିନ୍ଦ ଦେୱଡା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରବିବାର ସେ ନିଜର ଇସ୍ତଫା ସଂପର୍କିତ ସୂଚନା ଏକ୍ସରେ ଦେଇଛନ୍ତି । ସେ ଲେଖିଛନ୍ତି, ତାଙ୍କର ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ସମାପ୍ତି ଘଟିଛି ।
କଂଗ୍ରେସର ଏହି ପୂର୍ବତନ ନେତା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଆଜି ମୋର ରାଜନୈତିକ ଯାତ୍ରାର ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ସମାପନ ଘଟିଛି । ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମୁଁ ଇସ୍ତଫା ଦେଉଛି । ପାର୍ଟି ସହିତ ମୋ ପରିବାରର ୫୫ ବର୍ଷର ପୁରୁଣା ସଂପର୍କ ଆଜି ଶେଷ ହୋଇଛି । ବର୍ଷ ବର୍ଷ ଧରି ମୋ ପ୍ରତି ସେମାନଙ୍କର ଅତୁଟ ସମର୍ଥନ ପାଇଁ ସମସ୍ତ ନେତା, ସହକର୍ମୀ ଓ କାର୍ଯ୍ୟକର୍ତାଙ୍କୁ କୃତଜ୍ଞତା ଜଣାଉଛି ।
କଂଗ୍ରେସ ଛାଡିବା ପରେ ମିଲିନ୍ଦ ଆଜି ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ସାମିଲ୍ ହେବେ । ମୁଖ୍ୟମନ୍ତ୍ରୀ ବାସଭବନରେ ସିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ରାଜନୀତିର ନୂତନ ଅଧ୍ୟାୟ ଆରମ୍ଭ କରିବେ । ଅନେକ ସମୟ ପୂର୍ବରୁ ସେ କଂଗ୍ରେସ ଛାଡି ସିନ୍ଦେ ଗୋଷ୍ଠୀରେ ସାମିଲ୍ ହେବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ଏହି ଆକଳନକୁ ମିଲିନ୍ଦ ଖଣ୍ଡନ କରି ଆସୁଥିଲେ ।
ମିଲିନ୍ଦ ଅସନ୍ତୋଷ କାରଣରୁ ଦଳ ଛାଡିଥିବା କୁହାଯାଉଛି । ମିଲିନ୍ଦ ୨୦୨୪ର ଲୋକସଭା ନିର୍ବାଚନରେ ମୁମ୍ବାଇର ଦକ୍ଷିଣ ସିଟରୁ ନିର୍ବାଚନ ଲଢିବାକୁ ଚାହାନ୍ତି । କଂଗ୍ରେସ ଅନିଚ୍ଛା ପ୍ରକାଶ କରିବାରୁ ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ । ତେଣୁ ସେ ସିନ୍ଦେ ଗୋଷ୍ଠୀରେ ସାମିଲ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ମିଲିନ୍ଦ ହେଉଛନ୍ତି କଂଗ୍ରେସ ପାର୍ଟିର ଦିବଙ୍ଗତ ନେତା ମୁରଲୀ ଦେୱଡାଙ୍କ ପୁଅ । ମିଲିନ୍ଦ ବୋଷ୍ଟନ ୟୁନିଭର୍ସିଟିର କ୍ୱାଟ୍ରାମ ସ୍କୁଲ୍ ଅଫ ବିଜନେସରୁ ବିଜନେଓ ଆଡିମିନିଷ୍ଟ୍ରେସନରେ ସ୍ନାତକ କରିଛନ୍ତି । ୨୦୦୪ରେ ସେ ଲୋକସଭା ନିର୍ବାଚନ ଜିତିଥିଲେ । ୨୦୧୧ରେ ୟୁପିଏ ୨ରେ କେନ୍ଦ୍ରୀୟ ସଂଚାର ଓ ସୂଚନା ପ୍ରଦୌଗିକି ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ।