ନୂଆଦିଲ୍ଲୀ: ଗୋଟିଏ ମାସ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ୍ ୨୦୨୪ ପାଇଁ ଅଧିନାୟକ ନିଯୁକ୍ତ କରିଛ । ରୋହିତ ଶର୍ମା ଏବେ ବି ଦଳର ଅଂଶ ଅଛନ୍ତି । ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ୍ ଚାମ୍ପିଅନ ହୋଇଛି । ରୋହିତଙ୍କୁ ଯେବେ ଅଧିନାୟକ ପଦରୁ ହଟାଗଲା ତାକୁ ନେଇ ଖୁବ୍ ବିବାଦ ହୋଇଛି । ରୋହିତଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯିବା କ୍ରିକେଟ୍ ପ୍ରଶଂସକଙ୍କଠୁ ନେଇ ପୂର୍ବତନ ଖେଳାଳିଙ୍କୁ ମଧ୍ୟ ଏହା ପସନ୍ଦ ଆସିନାହିଁ । ଏହାକୁ ନେଇ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଖୋଲାଖୋଲି ନିଜର କଥା ରଖିଛନ୍ତି । ଯୁବରାଜ କହିଛନ୍ତି, ଯେବେ କୌଣସି ଖେଳାଳିଙ୍କ ବୟସ ବଢେ, ତେବେ ଫ୍ରାଂଚାଇଜଙ୍କୁ ଏହି ଧରଣର ନିଷ୍ପତି ନେବାକୁ ପଡିଥାଏ । କେବଳ ଏତିକି ନୁହେଁ ସେ ମଧ୍ୟ ଏହି ସମୟ ଦେଇ ଗତି କରିଥିବା ଯୁବରାଜ କହିଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଯୁବରାଜ ସିଂ କହିଛନ୍ତି, ପ୍ରତ୍ୟେକ ଫ୍ରାଂଚାଇଜ ଯୁବ ଖେଳାଳିଙ୍କୁ ପ୍ରମୋଟ କରିବାକୁ ଚାହାନ୍ତି । ଯାହା ଉପରେ ସେମାନେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ଏହା ମଧ୍ୟ କରିବା ଉଚିତ୍ । ଖେଳାଳିଙ୍କ ବୟସ ବଢିଲେ ଫ୍ରାଂଚାଇଜର ଦଳଗୁଡିକ ଏଭଳି ନିଷ୍ପତି ନିଅନ୍ତି । ମୁଁ ମଧ୍ୟ ଏହି ସ୍ଥିତି ଦେଇ ଗତି କରିଛି । ମାତ୍ର ଏହା ସ୍ପଷ୍ଟ କଥା ଯେ, ଅନୁଭବର କୌଣସି ବିକଳ୍ପ ନାହିଁ । ରୋହିତ ଶର୍ମାଙ୍କ ପାଖରେ ବହୁତ ଅନୁଭବ ରହିଛି ଓ ସେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି । ମାତ୍ର ଫ୍ରାଂଚାଇଜଙ୍କୁ ଆଗାମୀ ସମୟରେ ବିଷୟରେ ଚିନ୍ତା କରିବାକୁ ପଡିଥାଏ ।
ସୂଚନାଯୋଗ୍ୟ, ଆଇପିଏଲର ଗତ ଦୁଇଟି ସିଜିନରେ ଅଧିନାୟକ ଓ ଖେଳାଳି ଭାବେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିଲା । ଏମିତିରେ ଦେଖିବାକୁ ବାକି ରହିଲା ଯେ, ଆଇପିଏଲ୍ ୨୦୨୪ରେ ରୋହିତଙ୍କ ଭୂମିକା କିଭଳି ରହିଛି । ରୋହିତଙ୍କ ପାଇଁ ଆଇପିଏଲ୍ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି, କାରଣ ଏହା ପରେ ପରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମିଳିବାର ସମ୍ଭାବନା ଅଧିକ ରହିଛି ।