ପୁଣି ଥରେ IPLର ଟାଇଟଲ୍ ସ୍ପୋନସର ହେଲା ଟାଟା, ଗୋଟିଏ ସିଜିନ ପାଇଁ ଦେବାକୁ ପଡିବ ଏତିକି ଟଙ୍କା


ନୂଆଦିଲ୍ଲୀ: ଟାଟା ଗ୍ରୁପ ପୁନର୍ବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଟାଇଟଲ୍ ପ୍ରାୟୋଜକ ହୋଇଛି । ଟାଟା ୨୦୨୮ ପର୍ଯ୍ୟନ୍ତ ଆଇପିଏଲର ମୁଖ୍ୟ ପ୍ରାୟୋଜକ ଅଧିକାର କିଣିଛି । ଟାଟା ୨୫୦୦ କୋଟି ଟଙ୍କାରେ ଆଗାମୀ ୫ ବର୍ଷ ପାଇଁ ଟାଇଟଲ୍ ସ୍ପୋନସର ହାତେଇଛି । ଗୋଟିଏ ସିଜିନ ପାଇଁ ବିସିସିଆଇକୁ ୫୦୦ କୋଟି ଟଙ୍କା ମିଳିବ । ବିସିସିଆଇ ଗୋଟିଏ ମାସ ପୂର୍ବରୁ ଆଇପିଏଲ୍ ଟାଇଟଲ ରାଇଟ୍ ବିକ୍ରି କରିବା ପାଇଁ ଟେଣ୍ଡର ଜାରି କରିଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟାଟା ବ୍ୟତୀତ ଆଦିତ୍ୟ ବିର୍ଲା ଗ୍ରୁପ(ଏବିଜି) ପ୍ରାୟୋଜକ ଅଧିକାର କିଣିବା ପାଇଁ ରୁଚି ଦେଖାଇଥିଲା । ଏବିଜି ୨୫୦୦ କୋଟି ଟଙ୍କା ନିଲାମ ଡାକରା ଦେଇଥିଲା । ଟାଟା ଗ୍ରୁପ ରାଇଟ୍ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରି ଏବିଜି ଯେତେ ଅର୍ଥ ଦେବ ସେତିକି ଅର୍ଥ ସେ ଦେବ ବୋଲି କହିଥିଲା । ଇନଭିଟେସନ ଟୁ ଟେଣ୍ଡର ଡକ୍ୟୁମେଂଟର ନିୟମ ଅନୁଯାୟୀ, ଟାଟା ପାଖରେ ଟାଇଟଲ୍ ସ୍ପୋନସର ଅଧିକାର ରଖିବା ପାଇଁ ହେଲେ ଅନ୍ୟ ଦ୍ୱାରା ପ୍ରସ୍ତାବ ଦିଆଯାଉଥିବା ସବୁଠୁ ଅଧିକ ରାଶି ପୈଠ କରିବାର ଥିଲା ।

ଏମିତିରେ ଟାଟା ୨୫୦୦ କୋଟି ଟଙ୍କା ଦେବାକୁ ସହମତ ହୋଇଥିଲା । ଆଉ ଶେଷରେ ଟାଟା ଆଗାମୀ ୫ ବର୍ଷ ପାଇଁ ଆଇପିଏଲର ଟାଇଟଲ୍ ସ୍ପୋନସର ପୁଣି ଥରେ ହାସଲ କରି ନେଇଛି । ଏବିଜି ଏକମାତ୍ର କମ୍ପାନୀ ଭାବେ ନିଲାମରେ ସାମିଲ୍ ଥିଲା । ବିଶେଷଜ୍ଞଙ୍କ ମତରେ ରାଇଟ୍ ଟୁ ମ୍ୟାଚ୍ ନିୟମ କାରଣରୁ କମ୍ପାନୀଗୁଡିକ ଆଇପିଏଲର ଟାଇଟଲ୍ ସ୍ପୋନସର କିଣିବା ପାଇଁ ସେତେ ରୁଚି ଦେଖାଇ ନ ଥିଲେ । କାରଣ ଟାଟା ରାଇଟ୍ସ କିଣିବା ପାଇଁ ଇଚ୍ଛୁକ ଥିଲା । ବିସିିସିଆଇ ଏଥିରେ ଖୁସି ଯେ, ରାଇଟ୍ସ ଦେଶର ଏକ ପ୍ରତିଷ୍ଠିତ ଉଦ୍ୟୋଗ ପାଖରେ ରହିଛି ।

ଉଲ୍ଲେଖନୀୟ ଦେଶର ସବୁଠୁ ବଡ ବିଜନେସ ଗ୍ରୁପ ମଧ୍ୟରୁ ଅନ୍ୟତମ ଟାଟା ଗ୍ରୁପ ଦୁଇ ବର୍ଷ ପାଇଁ ଆଇପିଏଲ୍ ୨୦୨୨ ଓ ୨୦୨୩ର ମୁଖ୍ୟ ପ୍ରାୟୋଜକ କିଣିଥିଲା । ସେହି ସମୟରେ ଟାଟାକୁ ୬୭୦ କୋଟି ଟଙ୍କା ଦେବାକୁ ପଡିଥିଲା ।