ସାମ୍ବାଦିକ ମଦନ ପାଢ଼ୀ ମୃତୁ ମାମଲା ନେଲା ନୁଆଁ ମୋଡ଼, ହତ୍ୟାଅଭିଯୋଗରେ ରାଉରକେଲାରୁ ଅଭିଯୁକ୍ତକୁ ଗିରଫ କଲା ବେଲଗୁଣ୍ଠା ପୋଲିସ


ବେଲଗୁଣ୍ଠା,୨୪/୦୧- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଗିରିସୋଲା ଗ୍ରାମର ମଦନ ମୋହନ ପାଢୀ ହତ୍ୟା ମାମଲାର ଭିସାରା ରିପୋର୍ଟ ଆସିବାପରେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଅପମୃତ୍ୟୁ ମାମଲାକୁ ପରିବର୍ତ୍ତନ କରି ପୋଲିସ ଏହାକୁ ହତ୍ୟା ମାମଲା ରୁଜୁ କରିଥିଲା। ଏସଂପର୍କରେ ହତ୍ୟାର ଶିକାର ମଦନଙ୍କ ପରିବାର ସଦସ୍ୟମାନେ ଭଞ୍ଜନଗର ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ବେଳେ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ଭେଟି ମାମଲାର ଗୁରୁତ୍ବ ଦୃଷ୍ଟିରୁ ତୁରନ୍ତ ପୋଲିସ୍ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏଥିରେ ଜଡିତ ଅଭିଯୁକ୍ତଙ୍କୁ ଠାବ କରିବାସହ ସେମାନଙ୍କୁ ଗିରଫ କରିବା ପାଇଁ ନିବେଦନ କରିଥିଲେ।ଏହି ମାମଲାକୁ ଗଞ୍ଜାମ ଏସପି ଶ୍ରୀ ମୀନା ଗମ୍ଭୀରତାର ସହ ନେଇ ତୁରନ୍ତ ଏହି ମାମଲାରେ ଜଡିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବେଲଗୁଣ୍ଠା ଥାନା ଅଧିକାରୀ ଓ ଭଞ୍ଜନଗର ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୃତ ମଦନଙ୍କ ଭିସେରା ରିପୋର୍ଟ ଓ ଘଟଣା ସ୍ଥଳୁ ଗାୟବ ହୋଇଯାଇଥିବା ମୋବାଇଲକୁ ଟ୍ରାକିଙ୍ଗ କରି, ଏହା ବାବୁ ପାଖରେ ଥିବାର ଜଣାପଡିବା ପରେ ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ନିର୍ଦ୍ଧେଶ କ୍ରମେ, ଭଞ୍ଜନଗର ଏସଡ଼ିପିଓ ବିଶ୍ଵାମିତ୍ର ହରପାଲଙ୍କ ନେତୃତ୍ୱରେ ଘଟଣାର ତଦନ୍ତକାରି ଅଫିସର ତଥା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ବେଲଗୁଣ୍ଠା ପୋଲିସ ସହ ଏହି ମାମଲାରେ ସମ୍ପୃକ୍ତ ଥିବାସେହି ଗ୍ରାମର ବାବୁ ଗୌଡ଼ (୩୫) କୁ ରାଉରକେଲାରୁ ଗିରଫ କରି ଆଜି ସନ୍ଧ୍ୟାରେ ବାବୁକୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗିରିସୋଲା ଗ୍ରାମର ସାମ୍ବାଦିକ ମଦନମୋହନ ପାଢୀ (୩୪) ଙ୍କ ଗତ ୨୦୨୨ ଏପ୍ରିଲ୍ ମାସ ୨୩ ତାରିଖ ରାତିରେ ଅତ୍ୟନ୍ତ ରହସ୍ୟଜନକଭାବେ ମୃତ୍ୟୁ ଘଟିଥିଲା। ନିଜ ଫାର୍ମ ହାଉସରେ ଏକ ଛୋଟିଆ ଚଦରଟିଏ ପିନ୍ଧିଥିବା ଅବସ୍ଥାରେ ମଦନଙ୍କ ମୃତ ଶରୀର ଠାଵ ହୋଇଥିଲା । ମଦନଙ୍କ ମୃତ୍ୟୁ ଘଟଣାକୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନ‌ଥିବାବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେତେବେଳେ ଆଶଙ୍କା ବ୍ୟକ୍ତ କରିଥିଲେ । କାରଣ ପ୍ରତିଦିନ ମଦନ ନିଜ ୩/୪ ଜଣ ସାଙ୍ଗଙ୍କସହ ରାତିରେ ଫାର୍ମ ହାଉସରେ ମଦ ପିଇ ସେଠାରେ ରାତ୍ରୀ ଯାପନ କରୁଥିଲା । ଘଟଣାଦିନ ମଧ୍ୟ ତା ସାଙ୍ଗରେ ୩/୪ ଜଣ ସାଙ୍ଗ ରହିଥିଲେ । ତେବେ ମଦନଙ୍କ ମୃତ୍ୟୁ ହେବା ଘଟଣା ପରେ ଏହି ସାଙ୍ଗ ମାନେ କାହିଁକି ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ତାହାହିଁ ଏହି ଘଟଣାକୁ ଅଧିକ ରହସ୍ୟମୟ କରିଦେଇଥିଲା। ବିଳମ୍ବିତ ରାତିରେ ମଦନଙ୍କ ମୃତ୍ୟୁ ଘଟିଥିବାବେଳେ ସେଠାରୁ ତା’ର ବନ୍ଧୁମାନେ ଗାଏବ ହୋଇଯାଇଥିଲେ ମଧ୍ୟ ମୃତ୍ୟୁ ସଂପର୍କରେ ମଦନଙ୍କ ପରିବାରକୁ ଜଣାଇନଥିଲେ । ସକାଳ ୯ ଟାରେ ଘଟଣା ସଂପର୍କରେ ପରିବାର ଲୋକେ ଜାଣିବା ପରେ ତୁରନ୍ତ ମଦନଙ୍କୁ ଭଞ୍ଜନଗର ମେଡିକାଲକୁ ନେଇ ଥିଲେ । ତେବେ ସେଠାରେ ଡାକ୍ତର ମଦନକୁ ମୃତ ଘୋଷଣା କରିଥିବାବେଳେ ଘଟଣା ସଂପର୍କରେ ବେଲଗୁଣ୍ଠା ପୋଲିସକୁ ସୂଚନା ଦେଇଥିଲେ। ବେଲଗୁଣ୍ଠା ପୋଲିସ ଶବକୁ ଜବତ କରି ୧୦/୨୨ ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଏହାକୁ
ମଦନର ପରିବାର ଲୋକେ ଏହା ଏକା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦାବି କାରି ଆସୁଥିଲେ। ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଇ ମଦନଙ୍କ ଭିସେରା ଟେଷ୍ଟ ପାଇଁ ଭୁବନେଶ୍ୱର ଲ୍ୟାବକୁ ପଠାଇଥିଲା। ପରବର୍ତ୍ତୀ ସମୟରେ ଭିସାରା ରିପୋର୍ଟ ରେ ମଦନଙ୍କ ମୃତ୍ୟୁ ବିଷ ଜନିତ ହୋଇଥିବା ଜଣାପଡିଥିବାରୁ ଏହ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ଭିସାରା ରିପୋର୍ଟ ଆଧାରରେ ପୋଲିସ ଅପମୃତ୍ୟୁ ମାମଲାକୁ ପରିବର୍ତ୍ତନ କରି ୪୫୬/୨୩ ରେ ହତ୍ୟା ମାମଲା ରୁଜୁ କରିଥିଲା। ମଦନର ଗାୟବ ହୋଇଥିବା ମୋବାଇଲଟି ବହୁଦିନ ଧରି ସୁଇଚଅଫ ଥିଲା। ଗତ କିଛିଦିନ ତଳେ ସେହି ମୋବାଇଲରୁ ମଦନର ପୂର୍ବ ସିମ ବାହାରକରି ସେଥିରେ ନୂଆଁ ସିମ ବ୍ୟବହାର କରାଯାଇଥିଲା ଯାହାକି ମୋବାଇଲର ଇଏମଆଇ ନମ୍ବର ଆଧାରରେ ଏହା ବାବୁ ପାଖରେ ଥିବା ପୋଲିସ ଜାଣିପାରିଥିଲା। ଘଟଣାଦିନ ବାବୁ ମଦନର ପାଖେ ପାଖେ ଥିଲେ ମଧ୍ୟ ସେଦିନ ମଦନ ପାଖରେ ନଥିଲା ବୋଲି ପୋଲିସକୁ କହିଥିଲା, ଏବଂ ଭୋର ସକାଳୁ କିଛିଲୋକ ସେଇ ଫାର୍ମ ହାଉସକୁ ଫୁଲ ତୋଳିବାକୁ ଯାଇଥିବା ବେଳେ ବାବୁ ସେମାନଙ୍କୁ ଭିତରକୁ ଯିବାକୁ ମନା କରିଥିଲା ଯାହାକି ପୋଲିସ ତଦନ୍ତ ବେଳେ ଜାଣି ପାରିଥିଲା। ବାବୁକୁ ପୋଲିସ ବହୁବାର ତଦନ୍ତ ପରିସରଭୁକ୍ତ କରିଥିଲେ ମଧ୍ୟ ତାର କଥାରେ ତାଳମେଳ ରହୁନଥିଲା, ଯାହାକି ବାବୁହିଁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତଥିବା ଜାଣିପାରି ଆଜି ବାବୁକୁ ଗିରଫ କରିଛି। ବାବୁର ଜାମିନ ନାମଞ୍ଜୁର ହୋଇଥିବାରୁ ତାକୁ ଜେଲ ହାଜତକୁ ପଠାଇଥିବା ପୋଲିସ କହିଛି। ବିଳମ୍ବ ହେଲେ ମଧ୍ୟ ପୋଲିସ ଆସାମୀକୁ ଗିରଫ କାରି କୋର୍ଟ ଚାଲାଣ କରିଥିବାରୁ ମୃତ ମଦନର ପରିବାର ଗଞ୍ଜାମ ଏସପି ଓ ବେଲଗୁଣ୍ଠା ପୋଲିସକୁ ପ୍ରଶଂସା କରିଛନ୍ତି।