ନୂଆଦିଲ୍ଲୀ: ଶେଷରେ ବିହାରରେ ମହାମେଂଟର ସମାପ୍ତି ଘଟିଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରବିବାର ରାଜଭବନ ଯାଇ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନୀତିଶଙ୍କ ଏମିତି ବିଶ୍ୱାସଘାତ କାମରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ଜେଡିୟୁ ନେତାଙ୍କ ପ୍ରତି କଂଗ୍ରେସର ଅସନ୍ତୋଷ ଏତେ ମାତ୍ରାରେ ବଢି ଯାଇଛି ଯେ, ନୀତିଶଙ୍କୁ ବହୁରୂପୀ ଏଣ୍ଡୁଅ ସହ ତୁଳନା କରିଛନ୍ତି । ନୀତିଶଙ୍କୁ ଜନତା କେବେ ବି କ୍ଷମା କରିବେ ନାହିଁ ବୋଲି କଂଗ୍ରେସ କହିଛି ।
କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ରାଜନୀତିରେ ବାରମ୍ବାର ରଙ୍ଗ ବଦଳାଉଥିବା ନୀତିଶ ବହୁରୂପୀ ଏଣ୍ଡୁଅକୁ କଡ୍ଡା ଟକ୍କର ଦେଉଛନ୍ତି । ଏହି ବିଶ୍ୱାସଘାତର ବିଶେଷଜ୍ଞଙ୍କୁ ଏବଂ ତାଙ୍କୁ ଇସାରାରେ ନଚାଉଥିବା ଲୋକଙ୍କୁ ବିହାରର ଜନତା କେବେ ବି କ୍ଷମା କରିବେ ନାହିଁ । ଏଥିରୁ ସ୍ପଷ୍ଟ ଯେ, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ପ୍ରଧାନମନ୍ତ୍ରୀ ଓ ବିଜେପି ବିଚଳିତ ହୋଇ ପଡିଛନ୍ତି । ଏଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ରାଜନୈତିକ ଡ୍ରାମାର ରଚୁଛନ୍ତି ।
ଇଣ୍ଡିଆ ମେଂଟର ଭବିଷ୍ୟତ ଉପରେ ଜୟରାମ କହିଛନ୍ତି, ଇଣ୍ଡିଆ ମେଂଟ ମଜବୁତ ଅଛି । ସମସ୍ତେ ଏକାଠି ମିଶି ବିଜେପି ବିରୋଧରେ ଲଢିବେ । ଡିଏମକେ, ଏନସିପି, ଟିଏମସି ଓ ଏସପି ସହ ଏକାଠି ମିଶି ନିର୍ବାଚନ ଲଢାଯିବ ଓ ବିଜେପିକୁ ହରାଇବୁ । ଉଲ୍ଲେଖନୀୟ ପଶ୍ଚିମବଙ୍ଗରେ ଓ ଦିଲ୍ଲୀରେ କଂଗ୍ରେସ ସହିତ ମେଂଟ ହେବ ନାହିଁ ବୋଲି ଟିଏମସି ଓ ଆପ୍ ନିର୍ଣ୍ଣୟ ନେଇ ସାରିଛନ୍ତି । ଏହା ସ୍ପଷ୍ଟ ଯେ, ନୀତିଶଙ୍କ ଏହି ପଦକ୍ଷେପରେ ଇଣ୍ଡିଆ ମେଂଟକୁ ଶକ୍ତ ଧକ୍କା ଲାଗିଛି।