ପପ୍ ଦ୍ୱିଶତକରୁ ବଂଚିତ, ଇଂଲଣ୍ଡ ୪୨୦ ରନରେ ଅଲଆଉଟ୍‌; ଭାରତ ସମ୍ମୁଖରେ ୨୩୧ ରନ ବିଜୟ ଲକ୍ଷ୍ୟ


ହାଇଦ୍ରାବାଦ: ଏଠାରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ରୋମାଂକର ସ୍ଥିତିରେ ପହଂଚିଛି । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରି ମ୍ୟାଚକୁ ଦୃଢ ଭାବେ ପ୍ରତ୍ୟାବର୍ତନ କରିଛନ୍ତି । ଓଲି ପପଙ୍କ ୧୯୬ ରନ ବଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୪୨୦ ରନ କରିଛି । ଫଳରେ ଭାରତକୁ ୨୩୧ ରନର ବିଜୟ ଲକ୍ଷ୍ୟ ମିଳିଛି । ଓଲି ପପଙ୍କ ବ୍ୟତୀତ ବେନ ଡକେଟ୍ ୪୭ ରନ, ଫକ୍ସ ୩୪ ରନ ଓ ଜ୍ୟାକ କ୍ରାଉଲି ୩୧ ରନ କରିଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ସଫଳତା ପାଇଛନ୍ତି । ଉଲ୍ଲେଖନୀୟ ଇଂଲଣ୍ଡର ପ୍ରଥମ ଇନିଂସ ୨୪୬ ରନ ଜବାବରେ ଭାରତ ୪୩୬ ରନ କରିଥିଲା ।

ଗତକାଲିର ଅସମାପ୍ତ ଖେଳ ୩୧୬/୬ରୁ ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା । ଓଲିପପ୍ ୧୪୮ ରନ ଓ ରେହାନ ଅହମ୍ମଦ ୧୬ ରନ କରି କ୍ରିଜରେ ଥିଲେ । ପ୍ରଥମ ସେସନରେ ୩୩୯ ରନ ସ୍କୋରରେ ରେହାନ ଅହମ୍ମଦ ୨୮ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଓଲି ପପ ନିଜର ଦମଦାର ବ୍ୟାଟିଂ ଜାରି ରଖିଥିଲେ । ଓଲି ପପ ଅଷ୍ଟମ ୱିକେଟ୍‌ରେ ଟମ ହାର୍ଟଲିଙ୍କ ସହ ମିଶି ୮୦ ରନ ଯୋଡି ଦଳର ସ୍କୋରକୁ ୪୦୦ ପାର କରାଇଥିଲେ । ଟମ୍ ହାର୍ଟଲି ୩୪ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ । ମାର୍କ ଉଡ ଓ ଜ୍ୟାକ ଲିଚ୍ ଖାତା ଖୋଲି ପାରି ନ ଥିଲେ । ଅନ୍ୟପଟେ ଓଲି ପପ ଦବିଶତକ ଆଡକୁ ଅଗ୍ରସର ହୋଇଥିଲେ । ହେଲେ ବୁମରା ପପଙ୍କୁ ବୋଲ୍ଡ କରି ଇଂଲଣ୍ଡ ଇନିଂସର ଅନ୍ତ ଘଟାଇବା ସହ ଓଲି ପପଙ୍କୁ ଦ୍ୱିଶତକରୁ ବଂଚିତ କରିଥିଲେ । ଏଥିସହ ଇଂଲଣ୍ଡ ୪୨୦ ରନରେ ଅଲଆଉଟ୍ ହୋଇଥିଲା ।

ଭାରତ ୨୩୧ ରନର ବିଜୟ ଲକ୍ଷ୍ୟ ପିଛା କରି ୧୫ ଓଭର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୪୮ ରନ କରିଛି । ରୋହିତ ଶର୍ମା ୨୬ ରନ ଓ କେଏଲ ରାହୁଲ ୪ ରନ କରି ବ୍ୟାଟିଂ କରୁଛନ୍ତି । ଯଶସ୍ୱୀ ଜୟସ୍ୱାଲ ୧୫ ରନ କରି ଆଉଟ୍ ହୋଇଛନ୍ତି । ଶୁଭମନ ଗିଲ୍ ଖାତା ବି ଖୋଲି ପାରି ନାହାନ୍ତି ।