Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀ ଯାଇଛି ଦାଦନ; ଅସହାୟ ଗୌରାଙ୍ଗଙ୍କୁ ସାହା ହେବ କିଏ

ଖଡ଼ିଆଳ : ସ୍ୱାମୀ ଅଜଣା ରୋଗରେ ଶଯ୍ୟାଶାୟୀ, ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ପାଇଁ ସ୍ତ୍ରୀ ଯାଇଛି ଦାଦନ ଖଟି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ସାନମହେଶ୍ବର ପଞ୍ଚାୟତର ଘରଧରା ଗ୍ରାମରେ । ଗୌରାଙ୍ଗ ଶବର, ବୟସ ୩୦ ବର୍ଷ। ଖଡ଼ିଆଳ ବ୍ଲକ ସାନ ମହେଶ୍ବର ଗ୍ରାମ ପଞ୍ଚାୟତର ଘରଧରା ଗ୍ରାମର ଏହି ବ୍ୟକ୍ତିଙ୍କ ଦୁଃଖ କହିଲେ ନସରେ। କିଛି ବର୍ଷ ପୂର୍ବେ ବାପା ମାଆଙ୍କ ପରଲୋକ ଘଟିଥିଲା। ଦୁଃଖ ଯନ୍ତ୍ରଣାରେ ସ୍ତ୍ରୀ ରେମତୀ ସହ ଜୀବନ ଯାପନ କରୁଥିବା ଗୌରାଙ୍ଗ ପାଇଁ ବିପଦ ଯେମିତି ଅପେକ୍ଷା କରି ରହିଥିଲା। ଦୁଇ ବର୍ଷ ପୂର୍ବେ ତାଙ୍କ ଗୋଡ ହାତ ଦରଜ ହେବାରୁ ଖଡ଼ିଆଳ ଯାଇ ଚିକିତ୍ସା କଲେ। କିନ୍ତୁ ଯନ୍ତ୍ରଣା ବଢ଼ିଲା ସିନା କମିଲା ନାହିଁ। ପରେ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଦେଖାଇଲେ, ହେଲେ ଫଳ କିଛି ମିଳିଲା ନାହିଁ। ଧିରେ ଧିରେ ଶରୀର ଆହୁରି ଅସୁସ୍ଥ ହେବାକୁ ଲାଗିଲା। ପାଦ ଫୁଲିବା ସହ ଗଳା ଫୁଲିବାରୁ ଖାଇବା ପିଇବାରେ ଅସୁବିଧା ସୃଷ୍ଟି ହେଲା। ନିଜର ସୁନା ରୁପା ବିକ୍ରି କରି ସ୍ୱାମୀର ଯତ୍ନ କଲେ ରେମତୀ। କିନ୍ତୁ ସ୍ୱାମୀ ଆଉ ଭଲ ହେଲେ ନାହିଁ, ଚିକିତ୍ସା ପାଇଁ ଅର୍ଥ ଅଭାବ ସହ ଦାନା ଯୋଗାଡ଼ ପାଇଁ ଅହରହ ସଂଘର୍ଷ କରିବାକୁ ପଡିଲା।ଶେଷରେ ନିରୁପାୟ ରେମତି ଲୋକଙ୍କ ସହ ମିଶି ଛଅ ମାସ ତଳେ ହାଇଦ୍ରାବାଦ ଯାଇଛନ୍ତି ଇଟା ଗଢିବା ପାଇଁ। ଏପଟେ ଏକାକୀ ଅତି କଷ୍ଟରେ ଜୀବନ ଜିଉଁଛନ୍ତି ଗୌରାଙ୍ଗ। ଭଲରେ ଉଠି ବସି ପାରୁ ନାହାଁନ୍ତି। ନିଜେ ରାନ୍ଧିକି ଖାଇ ପାରୁ ନାହାନ୍ତି। ଲୋକେ ଦେଲେ ଖାଉଛନ୍ତି, ନ ହେଲେ ଭୋକରେ ରହୁଛନ୍ତି। ଅତି କଷ୍ଟରେ ଘରୁ ବାହାରକୁ ଆସୁଛନ୍ତି, ଅନେକ ସମୟରେ ଚାଲିବା ସମୟରେ ତଳେ ପଡି ଯାଉଛନ୍ତି ବୋଲି ସେ କହନ୍ତି।

ବେମାରରେ ଘାଣ୍ଟି ହେଉଥିବା ଗୌରାଙ୍ଗଙ୍କୁ ସରକାରୀ ସହଯୋଗ କିଛି ମିଳି ପାରୁନାହିଁ। ଏକ ଭଙ୍ଗା ଦଦରା ଘରେ ସେ ରହୁଥିବା ବେଳେ ଆବାସ ଯୋଜନାରେ ଘର ଖଣ୍ଡେ ମିଳୁନାହିଁ। ରାସନ କାର୍ଡରେ ମାତ୍ର ଚାଉଳ ଦଶ କିଲୋଗ୍ରାମ ମିଳୁଛି। ସେଥିରେ ମାସ ସାରା ଚଳିବାକୁ ପଡୁଛି। ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଖବର ଜାଣିବା ପରେ ଚାଉଳ ଗୋଟିଏ ପ୍ୟାକେଟ ସହ ଗୋଟିଏ ମାସର ରାସନ ସାମଗ୍ରୀ ଦେଇଛନ୍ତି ଓ ତାଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।ତାଙ୍କର ଚିକିତ୍ସା ବିଷୟରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କୁ ପଚାରିବାରୁ ଡ଼ାକ୍ତରୀ ଟିମ ପଠାଇ ଅବସ୍ଥା ତଦାରଖ କରିବେ ଓ ଚିକିତ୍ସାର ସୁବିଧା କରିବେ ବୋଲି କହିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଅସହାୟ ଗୌରାଙ୍ଗଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ