ବିଶାଖାପଟନମ: ବିଶାଖାପଟନମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଗର୍ଜିଛି ଯଶସ୍ୱୀ ଜୟସ୍ୱାଲଙ୍କ ବ୍ୟାଟ । ଟପ୍ ଅର୍ଡର ବ୍ୟାଟର ନିରାଶ କରିଥିଲେ ହେଁ ଏକାକୀ ଭାରତର ବ୍ୟାଟିଂ ଭାର ସମ୍ଭାଳିଛନ୍ତି ଯୁବ ଉଦୀୟମାନ ବ୍ୟାଟର ଜୟସ୍ୱାଲ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୩୩୬ ରନ କରିଛି । ଜୟସ୍ୱାଲ ୧୭୯ ରନ ଓ ରବିଚନ୍ଦ୍ରନ ଅଶ୍ୱିନ ୫ ରନ କରି କ୍ରିଜରେ ଅପରାଜିତ ଅଛନ୍ତି । ପୁରା ଦିନଟି ଜୟସ୍ୱାଲଙ୍କ ନାଁରେ ରହିଛି । ୨୫୭ ବଲରୁ ୧୭ ଚୌକା ଓ ୫ ଛକା ସହ ଜୟସ୍ୱାଲ ଦ୍ୱିଶତକ ଆଡକୁ ଅଗ୍ରସର ହେଉଛନ୍ତି । ଶୁଭମନ ଗିଲ୍ ଦ୍ୱିତୀୟ ସର୍ବାଧିକ ୩୪ ରନ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ରେହାନ ଅହମ୍ମଦ ଓ ଶୋଏବ ବସି ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।
ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଭାରତୀୟ ଚୂଡାନ୍ତ ଏକାଦଶରେ ୩ଟି ପରିବର୍ତନ ଘଟିଛି । ରଜତ ପାଟିଦାର ଟେଷ୍ଟ ପଦାର୍ପଣ କରିଥିବା ବେଲେ ଆହତ ଜାଡେଜାଙ୍କ ସ୍ଥାନରେ କୁଦଲୀପ ଯାଦବ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସ୍ଥାନ ମିଳିଛି । ଭାରତ ବ୍ରେକ ସୁଦ୍ଧା ୩ ୱିକେଟ୍ ହରାଇ ୨୨୫ ରନ କରିଥିଲା । ଏହି ସମୟରେ ଅଧିନାୟକ ରୋହିତ ଶର୍ମା(୧୪), ଶୁଭମନ ଗିଲ୍(୩୪) ଓ ଶ୍ରେୟସ ଆୟର(୨୭) ଆଉଟ୍ ହୋଇଥିଲେ । ପ୍ରଥମ ସେସନ ଉଭୟ ଦଳ ନାଁରେ ରହିଥିବା ବେଳେ ଦ୍ୱିତୀୟ ସେସନ ଭାରତ ନାଁରେ ରହିଥିଲା । ଏହି ସେସନରେ ଭାରତ ଗୋଟିଏ ୱିକେଟ୍ ହରାଇ ୧୨୨ ରନ କରିଥିଲା ।
ଅନ୍ୟପଟେ ଜୟସ୍ୱାଲ କ୍ରିଜରେ ଜମି ଦର୍ଶନୀୟ ସଟ୍ ଖେଳି ଭାରତୀୟ ବ୍ୟାଟିଂ ମୋର୍ଚ୍ଚାକୁ ସମ୍ଭାଳିଥିଲେ । ପଦାର୍ପଣ ମ୍ୟାଚରେ ରଜତ ପାଟିଦାର ୩୨ ରନ କରି ଆଉଟ୍ ହୋଇଥିଲେ । ଅକ୍ଷର ପଟେଲ୍ ୨୭ ରନ ଓ ଶ୍ରୀକର ଭରତ ୧୭ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ଜୟସ୍ୱାଲ ଦ୍ୱିତୀୟ ଟେଷ୍ଟ ଶତକ ଅର୍ଜନ କରିଥିଲେ । ଭାରତୀୟ ବ୍ୟାଟରଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ ଜୟସ୍ୱାଲଙ୍କୁ ବାଦ୍ ଦେଲେ ବାକିମାନେ ଏହାର ଫାଇଦା ଉଠାଇ ପାରି ନ ଥିଲେ । ଶେଷ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁ୍ଦ୍ଧା ଭାରତ ୬ ୱିକେଟ ହରାଇ ୩୩୬ ରନ କରିଛି ।