ଟେଷ୍ଟରେ ଜୟସ୍ୱାଲଙ୍କ ଦ୍ୱିଶତକ, ସ୍ଥାପନ କଲେ କୀର୍ତିମାନ; ଏହି ରେକର୍ଡ କରିବାରେ ତୃତୀୟ ଭାରତୀୟ


ବିଶାଖାପଟନମ: ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଉଦୀୟମାନ ଯୁବ ବାମହାତୀ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ ଅର୍ଜନ କରିଛନ୍ତି । ଶନିବାର ଟେଷ୍ଟର ଦ୍ୱିତୀୟ ଦିନରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ୨୯୦ ବଲରୁ ୧୯ ଚୌକା ଓ ୭ ଛକା ସହ ଜୟସ୍ୱାଲ ୨୦୯ ରନର ଦମଦାର ଓ ସ୍ମରଣୀୟ ଇନିଂସ ଖେଳିଛନ୍ତି । ଶୋଏବ ବସିରଙ୍କ ୧୦୨ତମ ଓଭରର ପ୍ରଥମ ବଲ୍ ଛକା ଓ ଦ୍ୱିତୀୟ ବଲରେ ଚୌକା ମାରି ସେ ଦ୍ୱିଶତକ ହାସଲ କରିଛନ୍ତି । ଏହି ଦ୍ୱିଶତକ ବଳରେ ଜୟସ୍ୱାଲ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି ।

ଯଶସ୍ୱୀ ଟେଷ୍ଟରେ ଦ୍ୱିଶତକ ହାସଲ କରିବାରେ ତୃତୀୟ ଯୁବ ଭାରତୀୟ ବ୍ୟାଟର । ସେ ୨୨ ବର୍ଷ ୩୭ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି । ତାଲିକାରେ ଶୀର୍ଷରେ ଅଛନ୍ତି ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଯିଏ ୨୧ ବର୍ଷ ୩୫ ଦିନରେ ୧୯୯୩ରେ ଇଂଲଣ୍ଡ ବିପକ୍ଷରେ ୨୨୪ ରନର ଇନିଂସ ଖେଳିଥିଲେ । ପୁଣି ସେହି ବର୍ଷ ଜିମ୍ବାୱେ ବିପକ୍ଷରେ ୨୨୭ ରନର ଦ୍ୱିତୀୟ ପାଳି ଖେଳିଥିଲେ । ସେହି ସମୟରେ ତାଙ୍କ ବୟଏସ ୨୧ ବର୍ଷ ୫୫ ଦିନ ଥିଲା। କାମ୍ବଲିଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ୨୧ ବର୍ଷ ୨୮୩ ଦିନରେ ୧୯୭୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୨୦ ରନ କରିଥିଲେ । ଏବେ ଯଶସ୍ୱୀ ଜୟସ୍ୱାଲ ଟେଷ୍ଟରେ ଦ୍ୱିଶତକ ମାରିବାରେ ଚତୁର୍ଥ ବାମହାତୀ ବ୍ୟାଟର ।

ଯଶସ୍ୱୀ ୨୦୨୩ ଜୁଲାଇରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଟେଷ୍ଟରେ ସବୁଠୁ କମ ଇନିଂସରେ ପ୍ରଥମ ଦ୍ୱିଶତକ ଅର୍ଜନ କରିବାରେ ଷଷ୍ଠ ଭାରତୀୟ ବ୍ୟାଟର । ସେ ୧୦ମ ଇନିଂସରେ ଏହି କୀର୍ତିମାନ ନିଜ ନାଁରେ କରିଛନ୍ତି । ତାଲିକାରେ କରୁଣ ନାୟର ଶୀର୍ଷରେ ଅଛନ୍ତି । ସେ ମାତ୍ର ତିନୋଟି ଇନିଂସରେ ଦ୍ୱିଶତକ ହାସଲ କରିଥିଲେ । ଏହା ପରେ ବିନୋଦ କାମ୍ବଲି(୪ ଇନିଂସ), ସୁନୀଲ ଗାଭାସ୍କର(୮ ଇନିଂସ), ମୟଙ୍କ ଅଗ୍ରୱାଲ(୮) ଓ ଚେତେଶ୍ୱର ପୂଜାରା ରହିଛନ୍ତି । ଯଶସ୍ୱୀ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପରେ ଦ୍ୱିଶତକ ମାରିବାରେ ପଂଚମ ଭାରତୀୟ ବ୍ୟାଟର ।

ଟେଷ୍ଟ କ୍ରିକେଟରେ ଦ୍ୱିଶତକ ଇନିଂସ ଖେଳିଥିବା ବାମହାତୀ ଭାରତୀୟ ବ୍ୟାଟର

୨୩୯ ସୌରଭ ଗାଙ୍ଗୁଲି ବନାମ ପାକିସ୍ତାନ, ବେଙ୍ଗାଲୁରୁ, ୨୦୦୭
୨୨୭ ବିନୋଦ କାମ୍ବଲି ବନାମ ଜିମ୍ବାୱେ, ଦିଲ୍ଲୀ, ୧୯୯୩
୨୨୪ ବିନୋଦ କାମ୍ବଲି ବନାମ ଇଂଲଣ୍ଡ, ମୁମ୍ବାଇ, ୧୯୯୩
୨୦୬ ଗୌତମ ଗମ୍ଭୀର ବନାମ ଅଷ୍ଟ୍ରେଲିଆ, ଦିଲ୍ଲୀ, ୨୦୦୬
୨୦୯ ଯଶସ୍ୱୀ ଜୟସ୍ୱାଲ ବନାମ ଇଂଲଣ୍ଡ, ବିଶାଖାପଟନମ, ୨୦୨୪