ଭୁୁବନେଶ୍ୱର: ଶନିବାରଠୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡିଶା ଭାଷା ସମ୍ମିଳନୀ । ଜନତା ମଇଦାନରେ ଭବ୍ୟ ଆକାରରେ ଆୟୋଜନ ହେଉଥିବା ଏହି ସମ୍ମିଳନୀର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ପ୍ରଥମ ଦିନରେ ଉଦଘାଟନ ସମୟରେ ଏହା ବିବାଦ ଘେରକୁ ଆସିଛି । ଯେଉଁ ଓଡିଆ ଭାଷାକୁ ନେଇ ଏହି ବିଶାଳ ସମାବେଶର ଆୟୋଜନ କରାଯାଇଛି ସେହି ଭାଷାକୁ କଦର୍ଥ କରି ଉଚ୍ଚାରଣ କରିବା ଓଡିଶାବାସୀଙ୍କୁ ବ୍ୟଥିତ କରିଛି । ଏହା ସହିତ କଳାମଣ୍ଡପ ପରିସରରେ ନିର୍ମିତ ଅକ୍ଷର ଭୂମିରେ ଓଡିଆ ଯୁକ୍ତାକ୍ଷରକୁ ଭୁଲ୍ ଭାବେ ଲେଖାଯିବା ନେଇ ଆଉ ଏକ ବିବାଦ ଦେଖା ଦେଇଛି ।
ଶନିବାରଠୁ ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ବିଶ୍ୱ ଓଡିଶା ଭାଷା ସମ୍ମିଳନୀ । ଏହାକୁ ଆହୁରି ସମ୍ମଣୀୟ କରିବା ନିମନ୍ତେ ଭୁବନେଶ୍ୱରର କଳାମଣ୍ଡପ ପରିସରରେ ନିର୍ମିତ ହୋଇଛି ଅକ୍ଷର ଭୂମି । ତେବେ ସେଥିରେ ଭୁଲ୍ ଲେଖାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅ, ଆ, ଇ, ଈ,ଋ,ୠ ପରେ ଲ୍ କେଉଁଠୁ ଆସିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଯେଉଁ ଭାଷାକୁ ନେଇ ଏତେ ବଡ ଆୟୋଜନ ହେଉଛି ସେହି ଭାଷାକୁ କେମିତି କଦର୍ଥ କରାଯାଉଛି ତାକୁ ନେଇ ଉଦବେଗ ପ୍ରକାଶ ପାଇଛି । ସମସ୍ତେ ଜାଣିଛନ୍ତି ଆମ ଯୁକ୍ତାକ୍ଷରରେ ଲ, ଳ ରହିଛି କିନ୍ତୁ ‘ଲ୍’ କେମିତି ଆସିଲା ତାରି ଉତର ଆୟୋକ ପାଖରେ ନାହିଁ । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ କେବଳ ଡିଣ୍ଡିମ ପିଟୁଥିବା ପ୍ରଶାସନର ଏମିତି କାର୍ଯ୍ୟକୁ ଲୋକେ ନାପସନ୍ଦ କରିଛନ୍ତି ।
ଦ୍ୱିତୀୟ ଘଟଣା ଘଟିଛି ବିଶ୍ୱ ଓଡିଶା ଭାଷା ସମ୍ମିଳନୀର ଉଦଘାଟନ ସମୟରେ । ସେଠାରେ ସରକାରଙ୍କ ପକ୍ଷରୁ ଯେଉଁ ମହିଳାଙ୍କୁ ଉପସ୍ଥାପିକା ଭାବେ ଦାୟିତ୍ୱ ଦିଆଯାଇଥିଲା, ସେହି ମହିୟସୀ ମହିଳା ପ୍ରସିଦ୍ଧ କବି ଓ ଲେଖକ କାନ୍ତକବି ଲକ୍ଷ୍ମୀଧର ମହାପାତ୍ରଙ୍କ ନାଁକୁ ଏମିତି ଉଚ୍ଚାରଣ କରୁଥିଲେ ଯାହା ଶୁଣିଲେ ଆପଣଙ୍କ ବ୍ୟଥିତ କରିବ । ସେ କାନ୍ତକବି ଶବ୍ଦକୁ କଣ୍ଠ କବି ଭାବେ ଉଚ୍ଚାରଣ କରିଥିଲେ । ଥରେ ନୁହେଁ ଦୁଇ ଥର ସେ କଣ୍ଠକବି କହିଥିଲେ । କାନ୍ତକବି ଲକ୍ଷ୍ମୀଧର ମହାପାତ୍ର ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଛନ୍ତି । ଉଦଘୋଷିକା ଜଣକ ଯେତେବେଳେ ସମବେତ ଅତିଥିବୃନ୍ଦଙ୍କୁ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ କହିଲେ ତା ପୂର୍ବରୁ ସେ କାନ୍ତକବିକୁ କଣ୍ଠ କବି ଉଚ୍ଚାରଣ କରିଥିଲେ । ଏହି ସମୟର ଦୃଶ୍ୟ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ଏହି ଦୁଇଟି ଘଟଣା ଓଡିଆ ଭାଷାକୁ ଭଲ ପାଉଥିବା ଲୋକଙ୍କୁ ବ୍ୟଥିତ କରିଛି । ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି, ବିଶ୍ୱ ଓଡିଶା ଭାଷା ସମ୍ମିଳନୀର ଆୟୋଜନ କଣ ପାଇଁ ହେଉଛି । ଯଦି ଆମେ ନିଜ ଭାଷାକୁ ସମ୍ମାନ ଦେଇ ପାରିବାନି ତେବେ ଏହାର ଆୟୋଜନର ଆବଶ୍ୟକତା କଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି । ଲୋକେ ସାମାଜିକ ଗଣମାଧ୍ୟମରେ ଏହାର ତୀବ୍ର ସମାଲୋଚନା କରୁଛନ୍ତି ।