ବିଶାଖାପଟନମ: ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦୬ ରନରେ ହରାଇଛି । ବିଜୟ ସହ ଭାରତ ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ପ୍ରତ୍ୟାବର୍ତନ କରି ୧-୧ରେ ବରାବର କରିଛି । ଯଶସ୍ୱୀ ଜୟସ୍ୱାଲ ଓ ଶୁଭମନ ଗିଲଙ୍କ ଶତକ ସହ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଭାରତ ଏହି ବିଜୟ ହାସଲ କରିଛି । ଭାରତ ୨ୟ ଇନିଂସରେ ୨୫୫ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ସମ୍ମୁଖରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଥିଲା । ଜବାବରେ ଭ୍ରମଣକାରୀ ଦଳ ୨୯୨ ରନରେ ଅଲଆଉଟ୍ ହୋଇଛି । ଏଥିସହ ଚତୁର୍ଥ ଦିନର ଦ୍ୱିତୀୟ ସେସନରେ ଖେଳ ସରିଛି । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରାଉଲି ୭୩ ରନ କରିଥିବା ବେଳେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ବୁମରା ଇଂଲଣ୍ଡର ପ୍ରଥମ ଇନିଂସରେ ୬ ସଫଳତା ହାସଲ କରିଥିଲେ ।
ଗତକାଲିର ୬୭/୧ରେ ଇଂଲଣ୍ଡ ନିଜର ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ପ୍ରଥମ ସେସନରେ ହିଁ ଦଳ ୱିକେଟ୍ ହରାଇଥିଲା । ରେହାନ ଅହମ୍ମଦ(୨୩) ଅକ୍ଷର ପଟେଲଙ୍କ ବଲରେ ଆଉଟ୍ ହୋଇଥିଲେ । ପରେ ଓଲି ପପ୍ ୨୩ ରନ କରି ଅଶ୍ୱିନଙ୍କ ଶିକାର ହୋଇତିଲେ । ତେବେ ଜୋ ରୁଟ(୧୬)ଙ୍କୁ ଆଉଟ୍ କରି ଅଶ୍ୱିନ ଭାରତକୁ ବଡ ସଫଳତା ଦେଇଥିଲେ । ତେବେ ପଂଚମ ୱିକେଟ୍ରେ ଜ୍ୟାକ କ୍ରାଉଲି ଓ ଜନି ବେୟାରଷ୍ଟୋ ୫୦ ରନ ଯୋଡିଥିଲେ । ହେଲେ ବେୟାରଷ୍ଟୋ(୨୬)ଙ୍କୁ ଯଶପ୍ରୀତ ବୁମରା ପାଭିଲିୟନ ପଠାଇଥିଲେ । ଅଧିନାୟକ ବେନ ଷ୍ଟୋକ୍ସ(୧୧) ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ ।
୨୨୦ ରନରେ ୭ ୱିକେଟ୍ ହରାଇ ସାରିଥିଲା ଇଂଲଣ୍ଡ । ହେଲେ ନିମ୍ନ କ୍ରମରେ ବେନ ଫୋକ୍ସ ଓ ଟମ୍ ହାର୍ଟଲୀ ଦୃଢ ବ୍ୟାଟିଂ କରି ସଂଘର୍ଷ କରିଥିଲେ । ଉଭୟ ଅଷ୍ଟମ ୱିକେଟ୍ ପାଇଁ ୫୫ ରନ ଯୋଡି ଭାରତର ଚିନ୍ତାକୁ ଟିକେ ବଢାଇଥିଲେ । ତେବେ ବେନ ଫୋକ୍ସ(୩୬)ଙ୍କୁ ଆଉଟ୍ କରି ଏହି ଯୋଡିକୁ ଭାଙ୍ଗିଥିଲେ ବୁମରା । ଶୋଏବ ବସିର(୦) ଆଉଟ୍ ହୋଇଥିଲେ । ପୁଣି ଟମ୍ ହାର୍ଟଲୀ(୩୬)ଙ୍କୁ ଆଉଟ୍ କରି ବୁମରାଂ ଇଂଲଣ୍ଡର ଇନିଂସକୁ ୨୯୨ ରନରେ ଅନ୍ତ ଘଟାଇଛନ୍ତି । ଏହା ସହିତ ଭାରତ ୨ୟ ଟେଷ୍ଟକୁ ୧୦୬ ରନରେ ହରାଇଛି ।
ଭାରତ ପକ୍ଷରୁ ବୁମରା ୪୬ ରନ ଦେଇ ୩ଟି, ରବିଚନ୍ଦ୍ରନ ଅଶ୍ୱିନ ୭୨ ରନ ଦେଇ ୩ଟି ୱିକେଟ୍ ନେଇଛନ୍ତି । କୁଲଦୀପ ଯାଦବ, ମୁକେଶ କୁମାର ଓ ଅକ୍ଷର ପଟେଲ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ସୂଚନାଯୋଗ୍ୟ, ଯଶସ୍ୱୀ ଜୟସ୍ୱାଲଙ୍କ ୨୦୯ ରନ ବଳରେ ଭାରତ ପ୍ରଥମ ଇନିଂସରେ ୩୯୬ ରନ କରିଥିଲା । ଜବାବରେ ଇଂଲଣ୍ଡ ୨୫୩ ରନରେ ଅଲଆଉଟ୍ ହୋଇଥିଲା । ପୁଣି ଭାରତ ୨୫୫ ରନ କରିଥିଲା ।