Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତରାଖଣ୍ଡ ବିଧାନସଭାରେ ୟୁସିସି ବିଲ୍ ଉପସ୍ଥାପନ କଲେ ପୁଷ୍କର ସିଂ ଧାମି, ଲିଭ୍ ଇନରେ ରହୁଥିବା ଲୋକଙ୍କ ପାଇଁ ରହିଛି ଏମିତି ନିୟମ

ନୂଆଦିଲ୍ଲୀ: ପୁଷ୍କର ସିଂ ଧାମି ସରକାର ଏକକ ନାଗରିକ ସଂହିତା ଅର୍ଥାତ ୟୁୁନିଫର୍ମ ସିଭିଲ କୋଡ(ୟୁସିସି) ବିଲ୍ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି। ସ୍ୱାଧୀନ ଭାରତରେ ୟୁସିସି ଲାଗୁ କରିବାରେ ଉତରାଖଣ୍ଡ ପ୍ରଥମ ରାଜ୍ୟ ହେବା ଦିଗରେ ଅଗ୍ରସର ହେଉଛି । ମୁଖ୍ୟମନ୍ତ୍ରୀ ଧାମି ମଧ୍ୟ ଘୋଷଣା କରି ସାରିଛନ୍ତି ଯେ, ୟୁସିସି ଉପରେ ଶୀଘ୍ର ନିୟମ ପ୍ରଣୟନ ହେବ ।

ଗୃହରେ ଏହି ବହୁ ପ୍ରତୀକ୍ଷିତ ବିଧେୟକ ଉପସ୍ଥାପନ ହେବା ସମୟରେ ଜୟ ଶ୍ରୀରାମ ଓ ବନ୍ଦେ ମାତରମ ନାରା ଲଗାଇଥିଲେ । ଉତରାଖଣ୍ଡ ୟୁସିସିରେ ଲିଭ୍ ଇନରେ ରହୁଥିବା ଲୋକଙ୍କ ପାଇଁ ଘୋଷଣାନାମା, ସଂପତିରେ ମହିଳାଙ୍କ ସମାନ ଅଧିକାର, ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ଆଦି ପ୍ରସଙ୍ଗକୁ ସାମିଲ୍ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଧାମି ବିଧେୟକ ଉପସ୍ଥାପନ ବେଳେ ଗୃହରେ କହିଛନ୍ତି, ଉତରାଖଣ୍ଡର ଦେବତୁଲ୍ୟ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ ପୁରା କରିବାର ସମୟ ଆସି ଯାଇଛି । ୟୁସିସିକୁ ଆଇନର ରୂପ ଦେଇ ଶୀଘ୍ର ଉତରାଖଣ୍ଡରେ ଲାଗୁ କରାଯିବ । ଉଲ୍ଲେଖନୀୟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଧାମି ୟୁସିସି ଲାଗୁ କରିବାକୁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ରବିବାର ମନ୍ତ୍ରିମଣ୍ଡଳ ବିଶେଷଜ୍ଞ କମିଟି ରିପୋର୍ଟକୁ ସ୍ୱୀକାର କରିଥିଲେ । ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ବିଧେୟକ ବିଧାନସଭାରେ ଗୃହୀତ ହେଲେ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ଏହା କେନ୍ଦ୍ରର ବିଷୟ ହୋଇଥିବାରୁ ରାଜ୍ୟପାଳଙ୍କ ମଞ୍ଜୁରୀ ନିମନ୍ତେ ଏହାକୁ ରାଷ୍ଟ୍ରପତି ଭବନ ଜରିଆରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇପାରେ। ଗୃହ ମନ୍ତ୍ରଣାଳୟରୁ ମଞ୍ଜୁରୀ ମିଳିବା ପରେ ରାଜ୍ୟପାଳ ଏହାକୁ ଆଇନର ରୂପ ଦେବେ। ଏହାପରେ ଉତ୍ତରାଖଣ୍ଡରେ ବିଧେୟକ ଲାଗୁ ହେବ। ସ୍ୱାଧୀନ ଭାରତରେ ୟୁସିସି ଲାଗୁ କରିବାରେ ଉତରାଖଣ୍ଡ ପ୍ରଥମ ରାଜ୍ୟ ହେବ ।

ୟୁସିସିର ପ୍ରମୁଖ ସୁପାରିଶ

୧ – ବିବାହ ପାଇଁ ଝିଅଙ୍କ ବୟସ ୧୮ ବର୍ଷ ଓ ପୁଅ ବୟସ ୨୧ ବର୍ଷ ରହିବ।
୨- ବିବାହର ପଞ୍ଜୀକରଣ ବାଧ୍ୟତାମୂଳକ।
୩ – ପତି-ପତ୍ନୀ ଉଭୟଙ୍କ ତଲାକର ସମାନ କାରଣ ଓ ଆଧାର ଦେବା ଜରୁରୀ। ତଲାକର ଆଧାର ସ୍ଵାମୀ ଓ ସ୍ତ୍ରୀ ପାଇଁ ସମାନ ରହିବ।
୪ – ପତ୍ନୀ ଜୀବିତ ଥାଉ ଥାଉ ଦ୍ଵିତୀୟ ବିବାହ ହୋଇ ପାରିବ ନାହିଁ। ଅର୍ଥାତ ବହୁ ବିବାହ ଉପରେ ରୋକ୍ ଲାଗିବ।
୫ – ଉତ୍ତରାଧିକାରରେ ପିଲାଙ୍କ ପରି ଝିଅର ମଧ୍ୟ ସମାନ ଅଧିକାର ରହିବ।
୬ – ଲିଭ୍ ଇନ ରିଲେସନସିପରେ ରହିଲେ ଘୋଷଣାନାମା ଦରକାର। ଏହା ସେଲ୍ଫ ଡିକ୍ଲେରେସନ ପରି ରହିବ।
୭ – ଅନୁସୂଚିତ ଜନଜାତିର ଲୋକେ ୟୁସିସିର ପରିଧିରୁ ବାହାରେ ରହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ