ସମ୍ବଲପୁର ନା ଢେଙ୍କାନାଳ, କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର ପ୍ରଧାନ ? ମନ୍ତ୍ରୀ ପରଖୁଛନ୍ତି ଜନତାଙ୍କ ମୁଡ୍


ସମ୍ବଲପୁର/ଢେଙ୍କାନାଳ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ଗୋଟିଏ ବର୍ଷ ସମୟ ବାକି ରହିଛି। ପୁଣି ଓଡିଶାରେ ମଧ୍ୟ ସେହି ସମାନ ସମୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଜାତୀୟ ରାଜନୀତିଠୁ ନେଇ ରାଜ୍ୟ ରାଜନୀତି ବେଶ ଚଞ୍ଚଚଞ୍ଚଳ ହୋଇ ଉଠିଲାଣି। ବିଶେଷ କରି କେଉଁ ଲୋକସଭା କ୍ଷେତ୍ରରୁ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ବିଜେପି ଅଙ୍କକଷା ଆରମ୍ଭ କରି ଦେଇଛି। ତେବେ ସବୁଠୁ ଅଧିକ ଚର୍ଚ୍ଚା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଲାଗି ରହିଛି। ଅନ୍ୟ ରାଜ୍ୟରୁ ରାଜ୍ୟସଭା ସାଂସଦ ହୋଇଥିବା ଧର୍ମେନ୍ଦ୍ର ଆସନ୍ତା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ବୋଲି ସଙ୍କେତ ଦେଇ ସାରିଛନ୍ତି। ତେଣୁ ଧର୍ମେନ୍ଦ୍ର କେଉଁ ଆସନରୁ ନିର୍ବାଚନ ଲଢିବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ସେ ଲୋକସଭା ନା ବିଧାନସଭା ନିର୍ବାଚନ ଲଢିବେ ତାହା ମଧ୍ୟ ଗୋଟିଏ ବଡ ପ୍ରଶ୍ନ ହୋଇ ରହିଛି। ତେବେ ଅନୁଗୁଳ ଜିଲ୍ଲାର ତାଳଚେର ବାସିନ୍ଦା ଧର୍ମେନ୍ଦ୍ର ସମ୍ବଲପୁର ଏବଂ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଅଧିକ ସମୟ ବିତାଉଥିବା ଦେଖିବାକୁ ମିଳୁଛି।

ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ଗତ ଫେବୃଆରୀରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଢେଙ୍କାନାଳ ଗସ୍ତ କରିଥିଲେ। ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ମନସୁଖ ମାଣ୍ଡଭିୟ ଏବଂ ପ୍ରହ୍ଲାଦ ଯୋଶୀ ମଧ୍ୟ ନିକଟରେ ଧର୍ମେନ୍ଦ୍ରଙ୍କ ସହ ଢେଙ୍କାନାଳ ଲୋକସଭା କ୍ଷେତ୍ର ଗସ୍ତ କରିଥିଲେ। ବର୍ତ୍ତମାନ ଏହି ଆସନ ଶାସକ ବିଜେଡି ହାତରେ ରହିଛି।

ତେବେ ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନ ଖୋଦ୍ କହିଛନ୍ତି ଯେ, ସେ ଓଡିଶାରେ ଲୋକସଭା ନିର୍ବାଚନ ଲଢିବେ। ମନ୍ତ୍ରୀ ନିଜର ପ୍ରଥମ ଲୋକସଭା ନିର୍ବାଚନ ୨୦୦୪ରେ ଦେବଗଡ ଆସନରୁ ଜିତିଥିଲେ। ଏହି ଆସନ ବର୍ତ୍ତମାନ ସମ୍ବଲପୁର ନିର୍ବାଚନ କ୍ଷେତ୍ରରେ ମିଶି ଯାଇଛି। ସମ୍ବଲପୁର ଲୋକସଭା ସିଟ୍ ବିଜେପି କବଜାରେ ରହିଛି ଏବଂ ଏଠାରେ ପାର୍ଟିର ମଜବୁତ ଜନାଧାର ରହିଛି। ତେଣୁ ସମ୍ବଲପୁରରୁ ଲଢିବା ଧର୍ମେନ୍ଦ୍ରଙ୍କୁ ବେଶ ସୁହାଇପାରେ।

ବିଜେପିର ଆଭ୍ୟନ୍ତରୀଣ ସୂତ୍ର ଅନୁଯାୟୀ, ପାର୍ଟି ପ୍ରଧାନଙ୍କୁ ସମ୍ବଲପୁର କିମ୍ବା ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛି। ଧର୍ମେନ୍ଦ୍ରଙ୍କ ନିକଟ ଦିନର ଗତିବିଧିରୁ ଏହା ଜଣା ପଡୁଛି ଯେ, ସେ ଜନତାଙ୍କ ମୋଡ୍ ପରଖୁଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ପ୍ରଧାନ ବିଜେପିର ଜଣେ ବରିଷ୍ଠ ନେତା ଏବଂ ସେ ନିର୍ବାଚନ ଲଢିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ପାର୍ଟି ଉଚିତ୍ ସମୟ ଆସିଲେ ଏହା ଉପରେ ନିଷ୍ପତ୍ତି ନେବ।

ରାଜ୍ୟ ବିଜେପିର ଉପସଭାପତି ନାଉରୀ ନାୟକ କହିଛନ୍ତି, ପ୍ରଧାନ ଢେଙ୍କାନାଳରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରୁଛନ୍ତି। ମାତ୍ର ପାର୍ଟି ତାଙ୍କୁ ସମ୍ବଲପୁରରୁ ଲଢିବାକୁ କହୁଛି, କାରଣ ଏହା ସୁରକ୍ଷିତ ସିଟ୍। ସମ୍ବଲପୁର ଲୋକସଭା କ୍ଷେତ୍ରରେ ବର୍ତ୍ତମାନ ବିଜେପିର ତିନି ବିଧାୟକ ଅଛନ୍ତି ଏବଂ ଲୋକସଭା ଆସନ ମଧ୍ୟ ବିଜେପି କବଜାରେ ରହିଛି। ଏହା ଧର୍ମେନ୍ଦ୍ରଙ୍କୁ ଲୋକସଭା ନିର୍ବାଚନର ବୈତରଣୀ ପାର କରାଇବାରେ ବଡ ଫ୍ୟାକ୍ଟର ସାବ୍ୟସ୍ତ ହୋଇପାରେ।

ଅନ୍ୟପଟେ ପ୍ରଧାନଙ୍କ ପତ୍ନୀ ମୃଦୁଳା ମଧ୍ୟ ଅନୁଗୁଳ ଏବଂ ଢେଙ୍କାନାଳରେ ଅନେକ ପଞ୍ଚାୟତ ଗସ୍ତ କରି ସ୍ଵାସ୍ଥ୍ୟ ଶିବିର ଆୟୋଜନ କରୁଛନ୍ତି। ମହିଳା ଶାଖାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ସାମାଜିକ ସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ତାଙ୍କର ଏହି ପଦକ୍ଷେପ ଧର୍ମେନ୍ଦ୍ରଙ୍କ ପ୍ରତି ଜନ ଆଦୃତ କରାଇବାରେ ବେଶ ସହାୟକ ହେବ। ଚଳିତ ବର୍ଷ ଆରମ୍ଭରେ ପ୍ରଧାନ ଢେଙ୍କାନାଳ ଏବଂ ସମ୍ବଲପୁରରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ କେନ୍ଦ୍ର ନିକଟରେ ଅନୁରୋଧ କରିଥିଲେ। ପୁଣି ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ଦୁଇ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ବାରମ୍ବାର ଗସ୍ତ କରି ଏହାର ସଙ୍କେତ ଦେଇଛନ୍ତି ଯେ, ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ନିର୍ବାଚନ ଲଢି ପାରନ୍ତି।

ବିଜେପି ନେତାଙ୍କ ଅନୁସାରେ, ବିଜେଡି ଦ୍ଵାରା ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ନିଯୁକ୍ତି କରାଯିବାର ଅର୍ଥ ଏହି ଜିଲ୍ଲାରେ ପ୍ରଧାନଙ୍କ ଗତିବିଧି ଉପରେ ନଜର ରଖିବା। ଦାସ ତିନି ଥର ଯାଜପୁରରୁ ବିଧାୟକ ରହି ସାରିଲେଣି ଏବଂ ସାଂଗଠନିକ ଦକ୍ଷତା ମଧ୍ୟ ରହିଛି। ତେବେ ଦେଖିବା ବାକି ରହିଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।