ଦିଲ୍ଲୀରେ ପ୍ରତି କ୍ଷେତ୍ରରେ ବିଜେପିକୁ ସହଯୋଗ କରୁଛି ବିଜେଡି, ଡପଲ ପି ରାଜ୍ୟ ଚଳାଉଛନ୍ତି: ଜୟରାମ ରମେଶ


ରାଉରକେଲା: ଓଡିଶାରେ ଆଜି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ପଦୁଟିଏ କହି ନ ଥିବା ରାହୁଲ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହା ପରେ ଦଳର ସାଧାରଣ ସଂପାଦକ ଜୟରାମ ରମେଶ ବିଜେପି ଓ ବିଜେଡିକୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି । ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ବୋଲି ଜୟରାମ ରମେଶ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ରମେଶ ପ୍ରେସମିଟରେ ଏହା କହିଛନ୍ତି ।

ଜୟରାମ ରମେଶ କହିଛନ୍ତି, ଦିଲ୍ଲୀରେ ପ୍ରତି କ୍ଷେତ୍ରରେ ବିଜେପି ବିଜେଡିକୁ ସହଯୋଗ କରି ଆସୁଛି । ମୋଦୀ ସରକାରକୁ ବିଜେଡି କେବେ ବି ସମାଲୋଚନା କରିନି । ଏଠାରେ କେବଳ ଲୋକଦେଖାଣିଆ ଭାବେ ଲଢେଇ କରୁଛନ୍ତି । ଉଭୟ ଦଳ ମଧ୍ୟରେ କେବଳ ଡି ଓ ପି ତଫାତ୍ ରହିଛି । ଉଭୟ ଦଳରେ ଡବଲ୍ ପି ରହିଛନ୍ତି । ଏହି ଡବଲ ପି କିଏ ଆପଣ ଜାଣିଥିବେ । ଉଭୟ ମିଶି ରାଜ୍ୟ ଚଳାଉଛନ୍ତି ବୋଲି ଜୟରାମ କହିଛନ୍ତି ।

ଏହା ପୂର୍ବରୁ ରାହୁଲ ମଧ୍ୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଥିଲେ । ରାହୁଲ କହିଛନ୍ତି, ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଛି । ଓଡିଶାରେ ବହୁ ଶିଳ୍ପ ଅନୁଷ୍ଠାନ ବନ୍ଦ ପଡିଛି । ରାଜ୍ୟରେ ବେରୋଜଗାରୀ ବଢିଛି । ଗତ ୪୦ ବର୍ଷରେ ଦେଶରେ ସବୁଠୁ ଅଧିକ ବେରୋଜଗାର ଓଡିଶାରେ ରହିଛି । କାମ ନ ମିଳିବାରୁ ଓଡିଶାରୁ ୩୦ ଲକ୍ଷ ଲୋକ ବହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି । ମାତ୍ର ଓଡିଶାକୁ ଲୁଟିବାକୁ ପାଇଁ ବାହାରୁ ୩୦ ଜଣ କୋଟିପତି ଆସିଛନ୍ତି । ଆଉ ଏଠି ବିଜେପି ଓ ବିଜେଡି ସରକାର ପାର୍ଟନରସିପରେ ଚାଲିଛି । ସଂସଦରେ ଏହାର ଝଲକ ଦେଖିବାକୁ ମିଳୁଛି । ମୋଦୀଙ୍କ ଇସାରାରେ ବିଜେଡି ନେତା ଆମକୁ ହଇରାଣ କରିବାକୁ ପଛାନ୍ତି ନାହିଁ ।