TV Actor Anuj Thakur Death: ୩୩ ବର୍ଷରେ ଅଭିନେତା ଅନୁଜ ଠାକୁରଙ୍କ ପରଲୋକ, ‘ଧୂମ୍ ମଚାଓ ଧୂମ୍’ରୁ ଆରମ୍ଭ କରିଥିଲେ ତାଙ୍କ ଅଭିନୟ ଯାତ୍ରା
ମୁମ୍ବାଇ: ଟିଭି ଜଗତରୁ ଆସିଛି ଦୁଃଖଦ ଖବର। ଅଭିନେତା ଅନୁଜ ଠାକୁରଙ୍କର ୩୩ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଅକ୍ଟୋବର ୨୭ ତାରିଖ ସକାଳେ ମୁମ୍ବାଇର ଓଶିୱାରା ସ୍ଥିତ ନିଜ ଘରେ ଶୋଇଥିବା ବେଳେ ତାଙ୍କୁ ଦୌରା ପଡ଼ିଥିବା ଏବଂ ଏଥିରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ବନ୍ଧୁ ତଥା କାଷ୍ଟିଂ ଡାଇରେକ୍ଟର ରୂପେଶ ସୋନାର ଏହି ଖବରକୁ ସ୍ପଷ୍ଟ କରିଛନ୍ତି।
ଅନୁଜ ପ୍ରାୟ ଦୁଇ ଦଶନ୍ଧି ଧରି ହିନ୍ଦୀ ଟେଲିଭିଜନ୍ ଜଗତରେ କାମ କରୁଥିଲେ। ଡିଜନି ଚ୍ୟାନେଲ୍ର ଯୁବପିଢ଼ିଙ୍କୁ ନେଇ ତିଆରି ଧାରାବାହିକ ‘ଧୂମ୍ ମଚାଓ ଧୂମ୍’ରୁ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ପରେ ସେ କଲର୍ସ ଟିଭିର ‘ବନ୍ଧନ ସାତ୍ ଜନମୋଁ କା’ ଏବଂ ଇମାଜିନ୍ ଟିଭିର ‘ବିନ୍ଦ ବନୁଙ୍ଗା ଘୋଡ଼ି ଚଢ଼ୁଙ୍ଗା’ରେ ଅଭିନୟ କରିଥିଲେ। BIG Magicର ଲୋକପ୍ରିୟ ଧାରାବାହିକ ‘ମହିସାଗର’ରେ ସାଗର ମେହେଟ୍ଟା ଭୂମିକାରେ ସେ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ।
ରୂପେଶ ସୋନାରଙ୍କ କହିବା ଅନୁସାରେ, ଚଳିତ ବର୍ଷ ଆରମ୍ଭରେ ମଧ୍ୟ ଅନୁଜଙ୍କୁ ଥରେ ଦୌରା ପଡ଼ିଥିଲା ଏବଂ ସେ ଔଷଧ ଖାଉଥିଲେ। ମୃତ୍ୟୁର ପ୍ରାୟ ୧୦ ଦିନ ପୂର୍ବରୁ ରୂପେଶ ତାଙ୍କୁ ଭେଟିଥିଲେ। ସେତେବେଳେ ଅନୁଜ ପୁଣି ଟିଭି ଜଗତକୁ ଫେରିବା ଏବଂ ନୂଆ ପ୍ରୋଜେକ୍ଟରେ କାମ କରିବା ନେଇ ଉତ୍ସାହିତ ଥିଲେ। ତାଙ୍କ ହଠାତ୍ ମୃତ୍ୟୁରେ ପରିବାର ଓ ବନ୍ଧୁମାନେ ଶୋକରେ ଅଛନ୍ତି। ତାଙ୍କ ଶେଷକୃତ୍ୟ ହରିଦ୍ୱାରରେ କରାଯାଉଛି।

