Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଅଭିଯୋଗ ଶୁଣାଣି

ବେଲଗୁଣ୍ଠା, 10/04, ଆଜି ସକାଳ ଏଗାର ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମୀନା ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଅଭିଯୋଗ ଶୁଣାଣୀ କରିଛନ୍ତି I ଏଥିରେ ଗଂଜାମ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ I କାର୍ଯ୍ୟକ୍ରମରେ 53 ଜଣ ଅଭିଯୋଗକାରୀ ଲିଖିତ ଭାବେ ସେମାନଙ୍କର ଅଭିଯୋଗ ପ୍ରଦାନ କରିଥିଲେ I ଏହି ଅବସରରେ ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ୍ ପ୍ରଦାନ କରାଯାଇଥିବା ବେଳେ 19 ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଥିଲା I ଆଜିର କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସହ ଅଭିଯୋଗ ଶୁଣାଣୀର ଆସିଷ୍ଟାଣ୍ଟ କଲେକ୍ଟର୍ ପ୍ରଣତି ନାୟକ, ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ବେଲଗୁଣ୍ଠା ବିଡ଼ିଓ ରୋଶନ୍ ଶତପଥୀ, ତହସିଲଦାର ମନୋଜ ପ୍ରଭାକର କୂଜୂରୂ, ଭଞ୍ଜନଗର ବିଡ଼ିଓ ଶଶୀ ଭୂଷଣ ମହାପାତ୍ର, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଶ୍ୱମିତ୍ରା ହରପାଲ୍ , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାବାଲୁଙ୍କେଶ୍ୱର ସଢଙ୍ଗୀ,ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ନଗରପାଳ ଫିରୋଜ ସେଠୀ, କାର୍ଯ୍ୟନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ବେଲଗୁଣ୍ଠା ପଂଚାୟତ ସମିତିରେ ଥିବା ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଜିଲ୍ଳାପାଳଙ୍କୁ ଅବଗତ କରାଇଥିଲେ I ବିଶେଷ କରି କୃଷକ ମାନଙ୍କର ଉନ୍ନତି ଦିଗରେ ସେ ଗୁରୁତ୍ୱାରୋପ କରିଥିଲେ I ବ୍ଳକ୍ ର ଜୀବନ ଜୀବିକା କୁହାଯାଉଥିବା ତଥା 1891 ରେ ନିର୍ମାଣ ହୋଇଥିବା ବ୍ରିଟିଶ୍ ଅମଳର ମାଧବରୀଡା ଆନିକଟର ପୁନରୁଦ୍ଧାର କରାଯିବା ସହିତ ଏହାକୁ ବ୍ୟାରେଜ୍ ରେ ପରିଣତ କରିବା, ମାଧବରୀଡା କେନାଲ୍ ର 32 କିଲୋମିଟର୍ ଲାଇନ୍ କରିବା, କେନାଲ୍ ର ସର୍ଭିସ୍ ବ୍ୟାଙ୍କ୍ କୁ ସ୍ଥାୟୀ ଭାବେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ଦ୍ୱାରା ସଂଯୋଗ କରିବା ସହିତ ସରନାଳର ପୁନରୁଦ୍ଧାର ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା I ଚାଷୀ ମାନେ ବାବନପୁର ଯାଇ ସିଡ୍ ପ୍ରସେସିଂ କରୁଥିବାରୁ ବେଲଗୁଣ୍ଠାରେ ଏକ ସିଡ୍ ପ୍ରସେସିଂ କେନ୍ଦ୍ର ସ୍ଥାପନ,ପରିବା ମଣ୍ଡି ସ୍ଥାପନ ସହିତ ଏକ ଶୀତଳ ଭଣ୍ଡାର ସ୍ଥାପନର ଦାବି କରାଯାଇଥିଲା I ବେଲଗୁଣ୍ଠା ବ୍ଳକ୍ ର ତିନି ପ୍ରସିଦ୍ଧ ଦେବୀ ପୀଠ ତଥା କୁମାରଶୁଣି,ମାଆ ବୁଢାକେନ୍ଦୁ ଏବଂ ସିଦ୍ଧେଶ୍ଵରୀ ପୀଠର ଉନ୍ନତି କରଣ ସକାଶେ ଜିଲ୍ଳାପାଳଙ୍କୁ ପ୍ରସ୍ତାବ ଦେଇଥିଲେ ଶ୍ରୀ ନାୟକ I ଏହା ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମପୀଠ ନୁଆଁ ଗାଁରେ ବିଜୁ ପଟ୍ଟନାୟକ ସଂଗ୍ରାହାଳୟ ସ୍ଥାପନ କରାଯିବାର ପ୍ରସ୍ତାବ ରଖାଯାଇଥିଲା I ଭଞ୍ଜ ବଂଶୀୟ ରାଜାଙ୍କ ଗଡ଼ ଜୟନ୍ତୀ ଗଡ଼ ଏବଂ ସେମାନଙ୍କ ଆରାଧ୍ୟ ନାଟଙ୍ଗା ସ୍ଥିତ ରଘୁନାଥ ମନ୍ଦିରର ପୁନରୁଦ୍ଧାର ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା I ବେଲଗୁଣ୍ଠା ବ୍ଳକ୍ ରେ ଡ଼ାକ ବଙ୍ଗଳା ନଥିବା ବେଳେ ଏକ ଡ଼ାକ ବଙ୍ଗଳା ନିର୍ମାଣ ସହିତ ସହିତ କାନ୍ଦୁରୀ ଠାରେ ଲୋହରାଖଣ୍ଡି ନଦୀ ଉପରେ ଏକ ସେତୁ ନିର୍ମାଣର ପ୍ରସ୍ତାବ ଦିଆଯାଇଥିଲା I ଏସବୁ ଦାବି ପୂରଣ ଦିଗରେ ଜିଲ୍ଳାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃ୍ତି ଦେଇଥିଲେ I ଏହି ଅବସରରେ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଆରକ୍ଷୀ ଅଧୀକ୍ଷକ ଜଗ ମୋହନ ମୀନା ବିଭାଗୀୟ ଅଧିକାରୀ ମାନଙ୍କ ସହିତ ତନରଡା ସ୍ଥିତ ଆର୍ଯ୍ୟ କନ୍ୟା ଗୁରୁକୁଳ ବିଦ୍ୟାଳୟରେ ଚାଲିଥିବା 5T କାର୍ଯ୍ୟ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ I ପ୍ରକାଶ ଥାଉକି ତୃତୀୟ ପର୍ଯ୍ୟାୟରେ 107 ଟି 5T ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଥିବ ବେଳେ ସେଥି ମଧ୍ୟରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ମଧ୍ୟ 5T ଉଚ୍ଚ ବିଦ୍ୟାଳୟ ଭାବେ ଲୋକାର୍ପିତ ହେବ I ଏହି ବିଦ୍ୟାଳୟରେ ଆଉ କେଉଁ କେଉଁ କାର୍ଯ୍ୟ କରାଯାଇ ବିଦ୍ୟାଳୟଟିକୁ ଅଧିକ ଆକର୍ଷଣୀୟ କରାଯାଇପାରିବ ସେନେଇ ଜିଲ୍ଳାପାଳ ଶ୍ରୀ ପରିଡ଼ା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶତପଥୀ, ଉପଜିଲ୍ଲାପାଳ ଶ୍ରୀ ରାୟ ଏବଂ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କୁ ପରାମର୍ଶ ଦେଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ