ଭୁୁବନେଶ୍ୱର: ବିଜେପି ଓଡିଶାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଏଠାରେ ଦଳ ପ୍ରାର୍ଥୀ ତ ଘୋଷଣା କରି ଦେଲା କିନ୍ତୁ ଦଳ ପାଖରେ ସଂଖ୍ୟା ବଳ ତ ନାହିଁ । କାରଣ ବିଜେପି ପାଖରେ ୨୨ ବିଧାୟକ ରହିଥିବା ବେଳେ ଜିତିବା ପାଇଁ ଦରକାର ୩୮ ବିଧାୟକଙ୍କ ସମର୍ଥନ । ପୁଣି ବାକି ଯୋଗାଡ କେଉଁଠୁ ହେବ । ଆଉ ଏହାର ଜବାବ ମିଳି ଯାଇଛି । ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ଦେବାକୁ ଘୋଷଣା କରିଛି । ଆଉ ପୁଣି ଥରେ ଏହି ସଙ୍କେତ ମିଳିଛି ଯେ, ଏନଡିଏଠୁ ଦୂରରେ ଥାଇ ବି ବିଜେଡି ସର୍ବଦା ବିଜେପି ସହ ରହିଛି ।
ଆଉ ରେଳ ମନ୍ତ୍ରୀ ଦ୍ୱିତୀୟ ଥର ଓଡିଶାରୁ ରାଜ୍ୟସଭା ଯିବେ । ଗତ ଥର ମଧ୍ୟ ବିଜେଡି ସମର୍ଥନ ଘୋଷଣା କରିଥିଲା । ରାଜ୍ୟର ବିଧାନସଭାରେ ବିଜେଡି ପାଖରେ ମୋଟ୍ ୧୦୯ ବିଧାୟକ ରହିଥିବା ବେଳେ ବିଜେପି ପାଖରେ ରହିଛି ୨୨ । ଅନ୍ୟପଟେ କଂଗ୍ରେସର ରହିଛି ମାତ୍ର ୯ ବିଧାୟକ । ତିନି ରାଜ୍ୟସଭା ପ୍ରାର୍ଥୀକୁ ଜିତିବାକୁ ହେଲେ ପ୍ରତ୍ୟେକଙ୍କୁ ୩୮ ଭୋଟ୍ ଆବଶ୍ୟକ । ତେଣୁ କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ, ତୃତୀୟ ପ୍ରାର୍ଥୀ କିଏ ହେବ । ଶେଷରେ ପୁଣି ଥରେ ବିଜେପି ଓ ବିଜେଡି ଏକାଠି ହୋଇଗଲେ ।
ବିଜୁ ଜନତା ଦଳ ସମର୍ଥନରେ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ଯିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ନୂତନ ସମୀକରଣକୁ ସଙ୍କେତ ଦେଉଛି ଯେ, ୨୦୨୪ ପରେ କୌଣସି ପ୍ରକାରର ଆବଶ୍ୟକ ପଡିଲେ ଦୁଇ ଦଳ ଏକାଠି ଆସି ପାରନ୍ତି । ଏହି ନିଷ୍ପତି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଗୋଟିଏ ପଟେ ଇଣ୍ଡିଆ ମେଂଟ ଭାଙ୍ଗୁଥିବା ବେଳେ ଅନ୍ୟପଟେ ବିଜେପି ନୂତନ ଦଳକୁ ସାଙ୍ଗରେ ଆଣିବାକୁ ଚେଷ୍ଟା ଜାରି ରଖିଛି । ମଙ୍ଗଳବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି । ତାଙ୍କର ରାଜ୍ୟସଭା ଯିବା ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି ।
ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ଦୁଇ ରାଜ୍ୟସଭା ସାଂସଦଙ୍କ ନିର୍ବାଚନ ପରେ ଅବଶିଷ୍ଟ ୩୩ ଭୋଟ୍ ମିଳିବ । ଏହା ବ୍ୟତୀତ ବିଜେପିର ୨୨ ବିଧାୟକ ମଧ୍ୟ ରହିଛନ୍ତି । ଏହିପରି ଅଶ୍ୱିନୀ ସହଜରେ ପୁଣି ଥରେ ସଂସଦର ଉଚ୍ଚସଦନକୁ ଯିବେ । ଆଉ ପୁଣି ଥରେ ବିଜେପି-ବିଜେଡି ପ୍ରମାଣିତ କରି ଦେଇଛନ୍ତି ଯେ, ଆମେ ଓଡିଶାରେ ନାମକୁ ମାତ୍ର ପରସ୍ପରର ବିରୋଧୀ, କିନ୍ତୁ ଭିତରେ ଆମ ମଧ୍ୟରେ ନିବିଡ ସଂପର୍କ ରହିଛି । ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ବିଜେଡି ବିଜେପିକୁ ସର୍ବଦା ଅକୁଣ୍ଠ ସମର୍ଥନ ଦେଇ ଆସିଛି । ସେ ଲୋକସଭା ହେଉ କି ରାଜ୍ୟସଭା ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ସମୟରେ ବିଜେଡି କେନ୍ଦ୍ର ସରକାରଙ୍କ ସମର୍ଥନ ଦେଇ ଆସିଛି । ରାଷ୍ଟ୍ରପତି ନିର୍ବାଚନ ହେଉ ଅବା ଉପରାଷ୍ଟ୍ରପତି ବିଜେଡିର ବିଜେପିକୁ ଭୋଟ୍ ଦେଇ ଆସିଛି । ଆଉ ପରିଣାମସ୍ୱରୂପ ଓଡିଶା ଉପରେ ଇଡି ଓ ସିବିଆଇର ତେରଚ୍ଛା ନଜର ପଡୁନି ।
ଆଗକୁ ନିର୍ବାଚନ ଆସୁଛି । ଆଉ ବିଜେପି ଓ ବିଜେଡି ପରସ୍ପରକୁ କେବଳ ଲୋକ ଦେଖାଣିଆ ସମାଲୋଚନା କରିବେ । ବିରୋଧୀ କଂଗ୍ରେସ ତ ଅଭିଯୋଗ କରି ଆସିଛି ଯେ, ଦୁଇ ଦଳ ମଧ୍ୟରେ ଲୋକସଭାକୁ ନେଇ ଡିଲ୍ ହୋଇ ସାରିଛି । ରାଜନୈତିକ ବିଶ୍ଳେଷକଙ୍କୁ ମଧ୍ୟ ଅଛପା ନୁହେଁ ଯେ, ଓଡିଶା ପ୍ରକୃତରେ କାହା ଶାସନ ଚାଲିଛି ଏବଂ କାହା ଇସାରାରେ ସବୁ ହେଉଛି । ଏମିତି ହୋଇନ ଥିଲେ ଆଇଏଏସ ଅଧିକାରୀ ଭିକେ ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର ସରକାର ୩ ଦିନ ଭିତରେ ଅନୁମୋଦନ କରିନ ଥାନ୍ତେ । ପୁଣି ଅମିତ୍ ଶାହ ଓଡିଶା ଗସ୍ତରେ ଆସି ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ସହ ରୁଦ୍ଧ ଦ୍ୱାର ବୈଠକ କରି ନ ଥାନ୍ତେ । ସେଥିପାଇଁ କଂଗ୍ରେସ ଦୁଇ ଦଳ ମଧ୍ୟରେ ବୈବାହିକ ମେଂଟ ଚାଲି ଆସିଥିବା କହି ସାରିଛି ।