ଆମେରିକାରେ ନିଶାଗ୍ରସ୍ତ ଭାରତୀୟ ଡ୍ରାଇଭରଙ୍କ ନିର୍ମମ କାଣ୍ଡ; ଦୁର୍ଘଟଣାରେ ୩ ମୃତ

କାଲିଫର୍ନିଆ: ଆମେରିକାର ଭାରତ ସହିତ ସମ୍ପର୍କ କିଛି ଠିକ ନଥିବା ବେଳେ ଏବେ ଆଉ ଏକ ଅଘଟଣ ଘଟିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଆମେରିକାରେ ଜଣେ ୨୧ ବର୍ଷୀୟ ଭାରତୀୟ ଡ୍ରାଇଭରଙ୍କ ବିରୋଧରେ ଏକ ଭୟଙ୍କର ଟ୍ରକ ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।
ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଶନପ୍ରୀତ ସିଂହ ନାମକ ଡ୍ରାଇଭର ଏହି କାଣ୍ଡ ଘଟାଇଛନ୍ତି। ସେ ଆମେରିକାର ଜଣେ ଅବୈଧ ପ୍ରବାସୀ ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଦକ୍ଷିଣ କାଲିଫର୍ନିଆର ସାନ ବର୍ନାର୍ଡିନୋ କାଉଣ୍ଟି ଫ୍ରିୱେରେ ଧିରେ ଧିରେ ଯାଉଥିବା ଟ୍ରାଫିକରେ ନିଜର ସେମି ଟ୍ରକ୍କୁ ନେଇ ଧସେଇ ପଶିଥିଲେ। ଲଗାତାର ଭାବେ ଅନେକ ଗାଡ଼ିକୁ ସେ ଧକ୍କା ଦେଇଥିଲେ । ଗାଡ଼ି ଗୁଡ଼ିକ ଛିନ୍ଛତ୍ର ହୋଇଯାଇଥିଲା । ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଜଶନପ୍ରୀତ ସିଂହ ୨୦୨୨ ମସିହାରେ ଦକ୍ଷିଣ ସୀମା ପାର କରି ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ମାର୍ଚ୍ଚ ୨୦୨୨ରେ କାଲିଫର୍ନିଆର ଏଲ୍ ସେଣ୍ଟ୍ରୋ ସେକ୍ଟରରେ ସୀମା ପାଟ୍ରୋଲ୍ ଏଜେଣ୍ଟମାନେ ଗିରଫ କରିଥିଲେ । କିନ୍ତୁ ସେତେବେଳର ବାଇଡେନ୍ ପ୍ରଶାସନର ନୀତି ଅନୁସାରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ।
ଏହି ଭୟଙ୍କର ଦୁର୍ଘଟଣାର ପୂରା ଭିଡିଓ ଜସନପ୍ରୀତ ସିଂହଙ୍କ ଟ୍ରକରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ ବଡ଼ ଟ୍ରକଟି ଏକ SUV ସହିତ ପ୍ରଥମେ ଧକ୍କା ହୋଇଥିଲା, ଯେଉଁଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ଗାଡ଼ି ଗୁଡ଼ିକୁ ମଧ୍ୟ ତାଙ୍କ ଟ୍ରକ୍ ଧକ୍କା ଦେଇଛି । ଏଥିରେ ଏକାଧିକ ଗୁରୁତର ହୋଇଥିବା ଆଶଙ୍କା ରହିଛି । ତେବେ ୩ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଗୁରୁତରଙ୍କ ମଧ୍ୟରେ ଜସନପ୍ରୀତ ସିଂହ ମଧ୍ୟ ସାମିଲ ଅଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ମେକାନିକ୍ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଥିବା ରିପୋର୍ଟରେ କୁହାଯାଇଛି । ମେକାନିକ୍ ଜଣକ ଅନ୍ୟ ଏକ ଗାଡ଼ିର ଟାୟାର ବଦଳାଇବାରେ ସାହାଯ୍ୟ କରୁଥିଲେ ।
ପୋଲିସ କହିଛି ଯେ ଜସନପ୍ରୀତ ସିଂହ ଟ୍ରାଫିକ୍ ଜାମରେ ଫସିବା ପୂର୍ବରୁ ବିଲକୁଲ ବ୍ରେକ୍ ଲଗାଇ ନଥିଲେ। କାରଣ ସେ ନିଶାସକ୍ତ ଅବସ୍ଥାରେ ଥିଲେ । ପରୀକ୍ଷାରୁ ଜଣାପଡ଼ିଛି ଯେ ସେ ଡ୍ରଗ୍ସ ନିଶାରେ ଚୁର ଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, CHP ଅଧିକାରୀ ରୋଡ୍ରିଗୋ ଜିମେନେଜ୍ ଏହି ସୂଚନା ଦେଇଛନ୍ତି ।
ଆମେରିକାର ଗୃହ ସୁରକ୍ଷା ବିଭାଗ ମଧ୍ୟ ନିଶ୍ଚିତ କରିଛି ଯେ ଜସନପ୍ରୀତ ସିଂହଙ୍କ ପାଖରେ ଆମେରିକାରେ ରହିବାର ଆଇନଗତ କୌଣସି କାଗଜପତ୍ର ନାହିଁ ।