ଭୁୁବନେଶ୍ୱର: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ କରିବା ଘଟଣାରେ ଷଡଯନ୍ତ୍ର ଅଭିଯୋଗ ଆଣିଲେ ଓକିଲ । ତାଙ୍କ ମହକିଲଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ପ୍ରଫୁଲ୍ଲଙ୍କ ଓକିଲ କହିଛନ୍ତି । ଇଡି ଆଜି ପ୍ରଫୁଲଙ୍କ ଭଦ୍ରକ ସ୍ଥିତ ବାସଭବନ ସମେତ ୧୦ଟି ସ୍ଥାନରେ ଚଢଉ କରିଛି । ବର୍ତମାନ ଘରେ କାଗଜପତ୍ର ଯାଂଚ ଜାରି ରହିଛି ।
ପ୍ରଫୁଲ୍ଲଙ୍କ ଘର ସାମ୍ନାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓକିଲ କହିଛନ୍ତି, କେଉଁ ଅଭିଯୋଗ ଆଧାରରେ ଇଡି୍ ଚଢଉ କରିଛି ଆମେ ଜାଣିନୁ । ଇଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ । ସେମାନେ ଆମକୁ ଦେଖା ଦେଉ ନାହାନ୍ତି କି କିଛି ଉତର ଦେଉ ନାହାନ୍ତି । ପ୍ରଫୁଲ୍ଲ ସାମଲ ବହୁବିଧ ରୋଗରେ ଆକ୍ରାନ୍ତ ଅଛନ୍ତି । ତାଙ୍କୁ ଚିକିତ୍ସା ଦରକାର । ପ୍ରଫୁଲ୍ଲଙ୍କୁ ହଇରାଣ କରିବାକୁ ଏହା ଏକ ବଡ ଷଡଯନ୍ତ୍ର ବୋଲି ଆମେ ଭାବୁଛୁ ।
ସୂଚନା ଅନୁଯାୟୀ, ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢାଉ କରିଛି । ଅଧିକାରୀମାନେ ବିଧାୟକଙ୍କ ଘରେ କାଗଜପତ୍ର ଯାଂଚ କରୁଥିବା ଜଣା ପଡୁଛି । ୭ରୁ ୮ ବର୍ଷ ତଳେ ଇଞ୍ଜିନିୟରିଂ କଲେଜରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । କଲେଜ ନାମରେ ପ୍ରଫୁଲ ସାମଲଙ୍କ ପୁଅ ଜମି ଆଣି ପରବର୍ତୀ ସମୟରେ ବିଲଡରଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଆଉ ଏହି ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ବିଜେଡି ବିଧାୟକଙ୍କ ଘରେ ଆଜି ଇଡି ଚଢଉ କରିଛି । ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଅପର୍ତିବିନ୍ଧାସ୍ଥିତ ଘରେ ରେଡ୍ କରାଯାଇଥିବା ଜଣା ଯାଇଛି ।